କାଳବୈଶାଖୀରୁ ୪ ଘଣ୍ଟା ଅଟକିଲା ବନ୍ଦେ ଭାରତ ଏକ୍ସପ୍ରେସ୍‌

ଯାଜପୁର ଅଫିସ, ୨୨।୫: କାଳବୈଶାଖୀ ପ୍ରଭାବରେ ପ୍ରବଳ ଝଡ଼ବର୍ଷା ଓ ପବନ ଯୋଗୁୁ ପୁରୀରୁ ହାଓଡା ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ (ନଂ. ୨୨୮୯୬) ଭଦ୍ରକ ଜିଲା ମଞ୍ଜୁରୀରୋଡ୍‌ ଷ୍ଟେଶନ ନିକଟରେ ରବିବାର ଅପରାହ୍ନ ସାଢ଼େ ୪ଟାରୁ ପ୍ରାୟ ୪ ଘଣ୍ଟା ଅଟକି ରହିଥିଲା। ଏକ ଗଛ ପଡ଼ି ଟ୍ରେନ୍‌ର ସାମ୍ନା କାଚ କ୍ଷତିଗ୍ରସ୍ତ ହେବା ସହ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇପଡ଼ିଥିଲା।
ସୂଚନା ଅନୁଯାୟୀ ଅପରାହ୍ନ ୪ଟା ୩୦ମିନିଟରେ ଟ୍ରେନ୍‌ଟି ଯାଜପୁରରୋଡ୍‌ ଷ୍ଟେଶନ ଛାଡ଼ିଥିବାବେଳେ ୪ଟା ୪୩ ମିନିଟରେ ଦୁଲାଖାପାଟଣା ଷ୍ଟେଶନ ପାର ହୋଇଥିଲା। ଏହାପରେ ବୈତରଣୀ ପୋଲ ଅତିକ୍ରମ କରି ମଞ୍ଜୁରୀରୋଡ ଷ୍ଟେଶନ ପାର ହେବା ପୂର୍ବରୁ ହଠାତ୍‌ ଟ୍ରେନ୍‌କୁ ବିଦ୍ୟୁତ୍‌ ସଂଯୋଗ ବନ୍ଦ ହୋଇଯାଇଥିଲା। ଏହାପରେ ଟ୍ରେନ୍‌ଟି ଖପୁରିଆପଦା ଗଁା ଦେଇ ଯାଇଥିବା ରେଳଧାରଣା ଉପରେ ଅଟକି ଯାଇଥିଲା। ଗଛ ମାଡ଼ ହେବା ଯୋଗୁ ଟ୍ରେନ୍‌ର ଲୋକୋ ପାଇଲଟ୍‌ କ୍ୟାବିନ୍‌ ସାଙ୍ଗକୁ କେତେକ ବଗି ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ପୂର୍ବତଟ ରେଳପଥର ବିଦ୍ୟୁତ ସେକ୍ସନ୍‌ ଯନ୍ତ୍ରୀମାନେ ପହଞ୍ଚତ୍ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ କରିଥିଲେ। ରାତି ୮ଟା ୩୬ ମିନିଟରେ ଡିଜେଲ୍‌ ଇଞ୍ଜିନ୍‌ ଯୋଗେ ଟ୍ରେନ୍‌ଟି ମଞ୍ଜୁରୀରୋଡ୍‌ ଛାଡ଼ି ୯ଟା ୪ ମିନିଟ୍‌ରେ କେନ୍ଦୁଆପଡ଼ାରେ ପହଞ୍ଚତ୍ଥିଲା। ସେଠାରେ ଡିଜେଲ୍‌ ଇଞ୍ଜିନକୁ ଅଲଗା କରାଯିବା ପରେ ଟ୍ରେନ୍‌ ୯ଟା ୩୫ ମିନିଟ୍‌ରେ ହାଓଡା ଅଭିମୁଖେ ଯାତ୍ରା କରିଥିଲା। ରବିବାର ଟ୍ରେନ ଚଳାଚଳ ବିଳମ୍ବ କାରଣରୁ ସୋମବାର ହାଓଡା-ପୁରୀ-ହାଓଡା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଚଳାଚଳକୁ ବାତିଲ କରାଯାଇଛି।

Share