ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ସାଢେ ଚାରି କୋଟି ଓଡ଼ିଆଙ୍କ ହୃଦୟର ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ଏଣିକି ମାଧ୍ୟମିକ ସ୍ତରରେ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ। ନବମ ଓ ଦଶମ ଶ୍ରେଣୀରେ ପଢୁଥିବା ଛାତ୍ରୀଛାତ୍ରମାନେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଏହି କାଳଜୟୀ କୃତି ପଢ଼ିବାର ସୁଯୋଗ ପାଇବେ। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ଶୁକ୍ରବାର ଏ ସଂକ୍ରାନ୍ତରେ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥି ସହ ଗୌରବମଣ୍ଡିତ ଉତ୍କଳ ଜନନୀଙ୍କ ଜୟଗାନ କରୁଥିବା ଏହି ମହାନ ସଙ୍ଗୀତ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଓଡ଼ିଆ ଜାତୀୟତାର ଭାବକୁ ସୁଦୃଢ଼ କରିବା ସହିତ ଓଡ଼ିଆ ଜାତିର ମହାନତା ସହ ପରିଚିତ କରାଇବାରେ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ସୂଚନାଯୋଗ୍ୟ, ନିକଟରେ ରାଜ୍ୟ ସରକାର ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକ୍ରମେ ଗତ ମେ ୩୦ ତାରିଖରେ ସାରା ରାଜ୍ୟ ତଥା ସାରା ବିଶ୍ବର କୋଣ ଅନୁକୋଣରେ ଥିବା ଓଡ଼ିଆ ଭଉଣୀଭାଇମାନେ ଏହି ସଙ୍ଗୀତକୁ ଏକ ସମୟରେ ଗାନକରି ଏକ ଭାବମୟ ପରିବେଶ ସୃଷ୍ଟି କରିଥିଲେ।

Share