କୋଲକତା,୨୬।୫: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୨ର ଏଲିମିନେଟର ମ୍ୟାଚ୍ ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ (ଏଲ୍ଏସ୍ଜି)କୁ ୧୪ ରନ୍ ରେ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) । ଆରସିବିର ବିଶାଳ ୨୦୮ ରନ୍ ର ଟାର୍ଗେଟକୁ ପିଛା କରି ଲକ୍ଷ୍ନୌ ନିର୍ଦ୍ଧାରିତ ଓଭରରେ ୬ ଉଇକେଟ ହରାଇ ୧୯୩ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଅଧିନାୟକ ଲୋକେସ ରାହୁଲ ସର୍ବାଧିକ ୭୯ ରନ୍ କରିଥିଲେ। ବେଙ୍ଗାଲୁରୁ ପକ୍ଷରୁ ଜୋଶ ହେଜେଲଉଡ ୩ଟି ଉଇକେଟ ନେଇଥିଲେ।
ଇଡେନ ଗାର୍ଡେନ୍ସରେ ଖୋଲାଯାଇଥିବା ଏହି ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୭ ଉଇକେଟ୍ ହରାଇ ୨୦୭ ରନ୍ କରିଥିଲା। ବେଙ୍ଗାଲୁରୁ ପକ୍ଷରୁ ରଜତ ପଟିଦାର ମାତ୍ର ୫୪ ବଲରୁ ୧୧୨ ରନ୍ ର ଅପରାଜିତ ଇନିଂସ ଖେଳି ଥିଲେ। ପଟିଦାର ତାଙ୍କ ଇନିଂସରେ ୭ଟି ଛକା ଓ ୧୨ଟି ଚୌକା ମାରି ଥିଲେ। ସେହିପରି କାର୍ତ୍ତିକ ୫ଟି ଚୌକା ଓ ୧ ଛକା ସହ ୨୩ ବଲରେ ୩୭ ରନ୍ର ଇନିଂସ ଖେଳି ଥିଲେ। ଲକ୍ଷ୍ନୌ ପକ୍ଷରୁ ରବି ବିଷ୍ଣୋଇ, ଅଭେସ ଖାନ୍, କ୍ରୁନାଲ ପାଣ୍ଡ୍ୟା ଓ ମହସିନ ଖାନ୍ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ ।
ଏହି ମ୍ଯାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ବର୍ଷା ଯୋଗୁ ପ୍ରାୟ ଏକ ଘଣ୍ଟା ବିଳମ୍ବରେ ଖେଳ ଆରମ୍ଭ ହୋଇଥିଲା।
ଏହି ପରାଜୟ ସହ ଲକ୍ଷ୍ନୌ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି। ବେଙ୍ଗାଲୁରୁ ଆସନ୍ତା ଶୁକ୍ରବାର ରାଜସ୍ଥାନ ରୟାଲ୍ସ ସହିତ ଯୋଗ୍ୟତା ପର୍ଯ୍ୟାୟ-୨ ଖେଳିବ।