Categories: ଜାତୀୟ

୭୦ ମାର୍କର ପରୀକ୍ଷାରେ ୮୯ ରଖିଲେ

ବାଙ୍ଗାଲୋର,୨୫।୧: ଛାତ୍ରୀଛାତ୍ରଙ୍କୁ ପରୀକ୍ଷାରେ ସମ୍ପୂର୍ଣ୍ଣ ମାର୍କ ମିଳିବା କିଛି ନୂଆ କଥା ନୁହେଁ। କିନ୍ତୁ ଫୁଲ ମାର୍କଠାରୁ ଛାତ୍ରୀଛାତ୍ରମାନେ ଅଧିକ ମାର୍କ ରଖିବା ଘଟଣା ସାମ୍ନାକୁ ଆସିଛି ବାଙ୍ଗାଲୋର ବିଶ୍ୱବିଦ୍ୟାଳୟରୁ। ଜଣେ ବି. କମ୍‌ ଛାତ୍ର ୭୦ ମାର୍କର ପରୀକ୍ଷାରେ ୮୯ ମାର୍କ ରଖିିବା ଘଟଣା ଯୋଗୁ ବାଙ୍ଗାଲୋର ବିଶ୍ୱବିଦ୍ୟାଳୟରେ ଚାଲିଥିବା ନିମ୍ନମାନର ମୂଲ୍ୟାଙ୍କନ ପ୍ରକ୍ରିୟା ପଦାରେ ପଡ଼ିଛି।

କିଛି ବି. କମ୍‌ ଛାତ୍ରୀଛାତ୍ର ସେମାନଙ୍କ ଥାର୍ଡ ସେମିଷ୍ଟର ଫଳାଫଳ ଦେଖି ଚକିତ ହୋଇଯାଇଥିଲେ। ‘ଟୁରିଜିମ ଏଜେନ୍ସି’ ନାମକ ଏକ ବିଷୟରେ ୭୦ ମାର୍କର ପରୀକ୍ଷା ହୋଇଥିଲା। କିନ୍ତୁ ଛାତ୍ରୀଛାତ୍ରଙ୍କୁ ୭୦ରୁ ଅଧିକ ମାର୍କ ମିଳିଥିଲା। ଏହା କେମିତି ସମ୍ଭବ। ଏହା ବିଶ୍ୱବିଦ୍ୟାଳୟର ନିମ୍ନମାନର ମୂଲ୍ୟାଙ୍କନ ପ୍ରକ୍ରିୟାକୁ ଦର୍ଶାଉଛି।

ଜଣେ ଛାତ୍ର କହିଛନ୍ତି, ମୁଁ ଫୁଲ ମାର୍କଠାରୁ ଅଧିକ ସ୍କୋର କରିଛି। ଏହା ମୋତେ ଚକିତ କରି ଦେଇଥିଲା। ମୋର ଅନେକ ସାଙ୍ଗମାନେ ୭୧,୭୩, ୮୯ ଓ ତା’ଠୁ ଊର୍ଦ୍ଧ୍ୱ ସ୍କୋର କରିଛନ୍ତି।

Share