ଢାକା,୧୪।୧୨: ବାଂଲାଦେଶର ସୁନାମଗଞ୍ଜରେ ହିନ୍ଦୁ ସମ୍ପ୍ରଦାୟର ଘର, ଦୋକାନ ଏବଂ ଲୋକନାଥ ମନ୍ଦିରକୁ ଭଙ୍ଗାରୁଜା କରିବା ଅଭିଯୋଗରେ ୪ଜଣଙ୍କୁ ଗିରଫ କରାଯାଇଛି। ୧୭୦ ଜଣଙ୍କ ବିରୋଧରେ ପୋଲିସ ମଧ୍ୟ ଏକ ମାମଲା ରୁଜୁ କରିଛି ଯେଉଁଥିରେ ୧୨ ଜଣଙ୍କ ନାମ ରହିଛି।
ଅଭିଯୁକ୍ତମାନେ ଅଲିମ ହୁସେନ, ସୁଲତାନ ଅହମ୍ମଦ ରାଜୁ, ଇମ୍ରାନ ହୁସେନ ଏବଂ ଶାହାଜାହାନ ହୁସେନ ବୋଲି ଜଣାପଡିଛି। ଭାରତୀୟ ବୈଦେଶିକ ସଚିବ ବାଂଲାଦେଶ ଗସ୍ତର କିଛି ଦିନ ପରେ ଏହି ଗିରଫଦାରୀ ହୋଇଥିଲା।
ଡିସେମ୍ବର ୩ରେ ସୁନମଗଞ୍ଜ ବାସିନ୍ଦା ଆକାଶ ଦାସଙ୍କ ଏକ ଫେସବୁକ ପୋଷ୍ଟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ସେ ଏହି ପୋଷ୍ଟକୁ ଡିଲିଟ କରିଥିଲେ, କିନ୍ତୁ ସ୍କ୍ରିନସଟ ବ୍ୟାପକ ଭାବରେ ବ୍ୟାପି ଯାଇ ହିଂସା ଘଟାଇଥିଲା। ସୁରକ୍ଷା ଦୃଷ୍ଟିରୁ ପୋଲିସ ତୁରନ୍ତ ଦାସଙ୍କୁ ଗିରଫ କରି ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିଥିଲା।