ଆଡିଲେଡ,୨।୧୧: ଟି୨୦ ବିଶ୍ୱକପ୍ ୨୦୨୨ର ସୁପର-୧୨ ମୁକାବିଲାରେ ବାଲାଂଦେଶ ବିପକ୍ଷ ମ୍ୟାଚ୍ରେ ୫ ରନ୍ରେ ବିଜେତା ହୋଇଛି ଟିମ୍ ଇଣ୍ଡିଆ। ବୁଧବାର ଖେଳାଯାଇଥିବା ଏହି ରୋମାଞ୍ଚକର ମୁକାବିଲାରେ ହାରିବାକୁ ନେଇ ବାଲାଂଦେଶ ଅଧିନାୟକ ଶାକିବ ଅଲ ହସନ ଦୁଃଖ ପ୍ରକାଶ କରିଛନ୍ତି। ସବୁ ଥର ତାଙ୍କ ଦଳ ଭାରତ ବିପକ୍ଷ ମୁକାବିଲାରେ ବିଜୟ ଦ୍ୱାରଦେଶରେ ପହଞ୍ଚିଥାଏ। ହେଲେ ଶେଷ ସୋପାନ ପାରି କରି ପାରେ ନାହିଁ ବୋଲି ସେ କହିଛନ୍ତି।
ମ୍ୟାଚ୍ ଶେଷ ହେବା ପରେ ଶାକିବ କହିଛନ୍ତି, ଆମ କାହାଣୀ ଏହା ଯେ ଯେତେବେଳେ ଆମେ ଭାରତ ବିପକ୍ଷରେ ଖେଳୁ, ମୁକାବିଲା ଜିତିବା ପାଖାପାଖି ପହଞ୍ଚି ଯାଇଥାଉ। ହେଲେ ଆମେ ଲାଇନ୍ ଫିନିଶ୍ କରିପାରୁ ନାହିଁ। ଏହା ବହୁତ ଭଲ ମ୍ୟାଚ୍ ଥିଲା। ଉଭୟ ଟିମ୍ ଏହାର ମଜା ଉଠାଇଲୁ। ଆମେ ଏହା ହିଁ ଚାହୁଁଥିଲୁ। ଶେଷରେ କେହି ଜିତେ ଆଉ କେହି ହାରିଥାଏ। ଲିଟନ ଦାସ ଆମର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ। ଯେଉଁଭଳି ଭାବେ ସେ ବ୍ୟାଟିଂ କରୁଥିଲେ, ଟାର୍ଗେଟକୁ ଅତିକ୍ରମ କରିବା ସହଜ ଲାଗୁଥିଲା। ଭାରତର ଟପ୍-୪ ଦେଖିଲେ ସେ ବହୁତ ଭୟଙ୍କର। ସେହି ୪ ଖେଲାଳିଙ୍କୁ ଆଉଟ୍ କରିବାକୁ ଆମେ ଯୋଜନା କରିଥିଲୁ। ଏଥିପାଇଁ ଆରମ୍ଭରୁ ତସ୍କିନ ଅହମ୍ମଦ ଦ୍ୱାରା ଆରମ୍ଭରୁ ୪ ଓଭର କରାଇଥିଲୁ। ଦୁର୍ଭାଗ୍ୟବଶତଃ ଆଶା ପୂରଣ ହୋଇ ନ ଥିଲା। ଆଗକୁ ଦଳ ଗୋଟିଏ ମ୍ୟାଚ୍ ଖେଳିବ, ତାହା ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ଚାହୁଁଛୁ ବୋଲି ସେ କହିଛନ୍ତି।