ସେଞ୍ଚୁରିଆନ,୨୩।୩: ଇତିହାସ ରଚିଲା ବାଂଲାଦେଶ କ୍ରିକେଟ ଦଳ। ପୂର୍ବରୁ ଦକ୍ଷିଣ ଆଫ୍ରିକାରେ କଦାପି ଗୋଟିଏ ଦିନିକିଆ ମ୍ୟାଚ୍ ଜିତି ନ ଥିବା ବାଂଲାଦେଶ ଏଥର ସିରିଜ୍ ଜିତି ଇତିହାସ ସୃଷ୍ଟି କରିଛି। ସେଞ୍ଚୁରିଆନଠାରେ ଖେଳାଯାଇଥିବା ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍କୁ ଏକତରଫା ଭାବେ ୨୦ ଓଭର ପୂର୍ବରୁ ୯ ଉଇକେଟରେ ଜିତି ନେଇଛି ବାଂଲାଦେଶ। ଏଥିସହିତ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍କୁ ୨-୧ରେ ହାତେଇଛି ତାମିମ ଇକବାଲଙ୍କ ନେତୃତ୍ୱାଧୀନ ଦଳ।
ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକାକୁ ମାତ୍ର ୧୫୪ ରନ୍ରେ ଅଲଆଉଟ୍ କରି ଦେଇଥିଲେ ବାଂଲାଦେଶ ବୋଲର। ଘରୋଇ ଦଳର ସବୁଠୁ ଅଧିକ କ୍ଷତି ଘଟାଇଥିଲେ ତାସ୍କିନ ଅହମ୍ମଦ (୫/୩୫)। ତାଙ୍କ ସହ ଶାକିବ ଅଲ ହାସନ (୨/୨୪) ଏବଂ ମେହିଦି ହାସନ (୧/୨୭) ମିଶି ଦକ୍ଷିଣ ଆଫ୍ରିକା ବ୍ୟାଟରଙ୍କୁ ବାନ୍ଧି ରଖିଥିଲେ। ଜବାବରେ ୧୫୫ ରନ୍ର ଲକ୍ଷ୍ୟ ନେଇ ଓହ୍ଲାଇଥିବା ବାଂଲାଦେଶକୁ ରକେଟ୍ ଭଳି ଆରମ୍ଭ ଦେଇଥିଲେ ଅଧିନାୟକ ଇକବାଲ ଏବଂ ଲିଟନ ଦାସ (୪୮ ରନ୍, ୮ ଚୌକା)। ଦୁହେଁ ଓପନିଂ ଭାଗୀଦାରିରେ ୨୦.୫ ଓଭରରେ ୧୨୭ ରନ୍ କରିଥିଲେ। ଲିଟନ ଆଉଟ୍ ହେବା ପରେ ଶାକିବ(୧୮)ଙ୍କ ସହ ମିଶି ଇକବାଲ ଦଳକୁ ଆଣି ଦେଇଥିଲେ ଐତିହାସିକ ବିଜୟ। ବାଂଲାଦେଶ ୨୬.୩ ଓଭରରେ ୧ ଉଇକେଟ ହରାଇ ୧୫୫ ରନ୍ କରି ମ୍ୟାଚ୍ ଜିତି ନେଇଥିଲା। ଅଧିନାୟକ ଇକବାଲ ୮୭ ରନ୍ କରି ଶେଷ ପର୍ଯ୍ୟନ୍ତ ନଟ୍ ଆଉଟ୍ ରହିଥିଲେ। ତାଙ୍କ ଇନିଂସରେ ସାମିଲ ଥିଲା ୧୪ ଚୌକା।