ବାଂଲାଦେଶ ହିଂସା ପଛରେ ରହିଛି ଏହି ଦେଶର ହାତ, ହେଲା ବଡ଼ ଖୁଲାସା

ଢାକା,୬।୮: ବାଂଲାଦେଶରେ ସରକାରଙ୍କୁ ହଟାଇବା ନେଇ ଗୁପ୍ତଚର ବିଭାଗର ରିପୋର୍ଟରେ ଏକ ବଡ଼ ଖୁଲାସା ହୋଇଛି। ଏହା ପଛରେ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ରହିଛି ବୋଲି କୁହାଯାଉଛି। ସୂତ୍ର ଅନୁଯାୟୀ, ବାଂଲାଦେଶ ପରିସ୍ଥିତି ପଛରେ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ହାତ ଅଛି ବୋଲି ଗୁପ୍ତଚର ରିପୋର୍ଟରେ ଏହା ସାମ୍ନାକୁ ଆସିଛି।

ପାକିସ୍ତାନ ହିଂସା ସୃଷ୍ଟି କରିବା ପାଇଁ ଛାତ୍ର ଶିବିର ନାମକ ଏକ ସଂଗଠନ ବ୍ୟବହାର କରିଛି। ଏହି ଛାତ୍ର ଶିବିର ସଂଗଠନ ବାଂଲାଦେଶରେ ନିଷିଦ୍ଧ ଜମାତ-ଇ-ଇସଲାମିର ଏକ ଅଂଶ। ଏଥି ସହିତ ଜମାତ-ଇ-ଇସଲାମିରେ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇର ସମର୍ଥନ ରହିଛି। ନିକଟରେ ଏହା ମଧ୍ୟ ଜଣାଯାଇଛି ଯେ ଶେଖ ହସିନା ଜମାତ-ଇ-ଇସଲାମି, ଛାତ୍ର ସଂଗଠନ ଏବଂ ଅନ୍ୟାନ୍ୟ ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହାକୁ ବିରୋଧ କରି ସେମାନେ ସରକାରଙ୍କ ବିରୋଧରେ ରାସ୍ତାରେ ହଙ୍ଗମା ସୃଷ୍ଟି କରିବା ଆରମ୍ଭ କରିଥିଲେ।

ଗୁପ୍ତଚର ରିପୋର୍ଟ ଅନୁଯାୟୀ, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) କାର୍ଯ୍ୟକାରୀ ମୁଖ୍ୟ ଖାଲିଦା ଜିଆଙ୍କ ପୁଅ ତାରିକ ରହମାନଙ୍କ ଯୋଗାଯୋଗର ପ୍ରମାଣ ବାଂଲାଦେଶ ଅଧିକାରୀଙ୍କ ପାଖରେ ରହିଥିଲା। ସୂଚନା ମିଳିଥିଲା ଯେ ବାଂଲାଦେଶରେ ହୋଇଥିବା ଅପରେଶନର ରୂପରଖା ଲଣ୍ଡନରେ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇ ସହଯୋଗରେ କରାଯାଇଥିଲା। ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ପରେ ବାଂଲାଦେଶରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ଗୁପ୍ତଚର ରିପୋର୍ଟ ଅନୁଯାୟୀ, ବାଂଲାଦେଶୀ ଅଧିକାରୀମାନେ ସାଉଦି ଆରବରେ ତାରିକ ରହମାନ ଏବଂ ଆଇଏସଆଇ ଅଧିକାରୀଙ୍କ ମଧ୍ୟରେ ବୈଠକର ପ୍ରମାଣ ଥିବା ଦାବି କରୁଥିଲେ। ସୂଚନା ମିଳିଛି ଯେ ନିଷିଦ୍ଧ ଜମାତ-ଇ-ଇସଲାମିର ଛାତ୍ର ୱିଙ୍ଗ ମଧ୍ୟ ପାକିସ୍ତାନର ଆଇଏସଆଇ ପକ୍ଷରୁ ସମର୍ଥନ ପାଇଛି। ଏହି ସଂଗଠନର କାର୍ଯ୍ୟ ଥିଲା ବାଂଲାଦେଶରେ ହିଂସା ସୃଷ୍ଟି କରିବା ଏବଂ ଛାତ୍ରମାନଙ୍କ ବିରୋଧକୁ ଏକ ରାଜନୈତିକ ଆନ୍ଦୋଳନରେ ପରିଣତ କରିବା।

ଏଥି ସହିତ, ଏହି ହିଂସାକୁ ନେଇ ଆମେରିକା ମଧ୍ୟ ପ୍ରଶ୍ନ ଘେରରେ ଅଛି, କାରଣ ଜାନୁଆରୀରେ ହୋଇଥିବା ନିର୍ବାଚନକୁ ଆମେରିକା ପ୍ରତ୍ୟାଖ୍ୟାନ କରିଥିଲା। ଜୁଲାଇ ୧୪ରେ, ଆମେରିକାର ଦୂତାବାସ ଦୁଇଜଣ ଛାତ୍ରଙ୍କ ମିଛ ମୃତ୍ୟୁ ଖବର ପ୍ରଚାର କରିଥିଲା, ଯାହା ପରେ ୱେବସାଇଟରୁ ହଟାଯାଇଥିଲା। ଏହି ଖବର ବିରୋଧକୁ ଅଧିକ ହିଂସାତ୍ମକ କରିଥିଲା। ଏଥି ସହିତ ବାଂଲାଦେଶରେ ଆମେରିକାର ରାଷ୍ଟ୍ରଦୂତ ପିଟର ଡି ହାସ ଜମାତର ନେତାଙ୍କ ସହ ଗୁପ୍ତ ବୈଠକ କରିଥିଲେ। ଆମେରିକାର ଏହି ସମସ୍ତ ଗତିବିଧିକୁ ମଧ୍ୟ ଏହି ହିଂସା ସହିତ ଯୋଡାଯାଉଛି।

Share