ବାଂଲାଦେଶରେ ବିଜୁଳି ସଙ୍କଟ: ସପ୍ତାହରେ ୨ ଦିନ ବନ୍ଦ ରହିବ ସ୍କୁଲ, କାର୍ଯ୍ୟାଳୟ ସମୟରେ ହେବ ପରିବର୍ତ୍ତନ

ଢାକା,୨୩ ।୮: ବାଂଲାଦେଶରେ ଆର୍ଥିକ ସଙ୍କଟ ବେଳକୁ ବେଳ ବଢିବାରେ ଲାଗିଛି । ମହଙ୍ଗା ମାଡରେ ଉବୁଟୁବୁ ହେଉଥିବା ଜନତାଙ୍କୁ ଏବେ ବିଜୁଳିବି ମିଳିବା କଷ୍ଟକର ହୋଇ ପଡିଛି । ଏଥିପାଇଁ ସରକାର ବିଜୁଳି ବଞ୍ଚାଇବାକୁ ଏକ ନୂଆ ପଦକ୍ଷେପ ନେଇଛନ୍ତି । ଏବେ ସ୍କୁଲ ଓ କଲେଜ ସମୟରେ ପରିବର୍ତ୍ତନ କରିବାକୁ ସରକାର ସ୍ଥିର କରିଛନ୍ତି । ପ୍ରଥମେ ଦେଶରେ ପେଟ୍ରୋଲ-ଡିଜେଲର ଅଭାବ ପରିଲକ୍ଷିତ ହୋଇଥିବା ବେଳେ ଡିଜେଲରେ ଚାଲୁଥିବା ପାୱାର ପ୍ଲାଣ୍ଟକୁ ଏବେ ବନ୍ଦ କରି ଦିଆଯାଇଛି ।
ରୁଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁ ଇନ୍ଧନ ଉପରେ ଏହାର ପ୍ରଭାବ ପଡିବାରୁ ବାଂଲାଦେଶରେ ଥିବା ସମସ୍ତ ୧୦ଟି ଡିଜେଲ ପାୱାର ପ୍ଲାଣ୍ଟକୁ ବନ୍ଦ କରି ଦିଆଯାଇଛି । ଗତ ମାସରେ ବିଜୁଳି ସଙ୍କଟ ଯୋଗୁ ଅଧିକାଂଶ ଅଞ୍ଚଳ ଅନ୍ଧାରରେ ରହୁଥିବା ବେଳେ କିଛି ଅଞ୍ଚଳରେ ଦିନକୁ ୨ ଘଣ୍ଟା ବିଜୁଳି କଟାଯାଉଥିଲା ।
ଏବେ ବିଜୁଳି ବଞ୍ଚାଇବାକୁ ଶେଖ ହସିନା ସରକାର ସପ୍ତାହରେ ୨ ଦିନ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । କେବଳ ସେତିକି ନୁହେଁ ସମସ୍ତ ସରକାରୀ କାର୍ଯ୍ୟାଳୟର ସମୟରେ ବି ପରିବର୍ତ୍ତନ କରାଯାଇଛି । ସମସ୍ତ ସରକାରୀ କାର୍ଯ୍ୟାଳୟ ଏଣିକି ସକାଳ ୮ଟାରୁ ୩ଟା ପର୍ଯ୍ୟନ୍ତ ଖୋଲା ରହିବ । ସେହିପରି ସମସ୍ତ ବ୍ୟାଙ୍କ ସକାଳ ୯ଟାରୁ ୪ଟା ପର୍ଯ୍ୟନ୍ତ ଖୋଲା ରହିବ । ତେବେ ଘରୋଇ କାର୍ଯ୍ୟାଳୟ ଗୁଡିକ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ସମୟ ନିର୍ଦ୍ଧାରଣ କରିବେ ବୋଲି କୁହାଯାଇଛି ।

Share