ବାଂଲାଦେଶର ନୂଆ ସରକାରରେ ଏକମାତ୍ର ହିନ୍ଦୁ କିଏ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ଜାଣନ୍ତୁ…

ଢାକା,୬।୮: ବାଂଲାଦେଶରେ ଶେଖ ହସିନାଙ୍କ ପରେ ବର୍ତ୍ତମାନ କିଏ କ୍ଷମତା ଗ୍ରହଣ କରିବ ତାକୁ ନେଇ ଅଧିକ ଚର୍ଚ୍ଚା ହେଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ସେନା ମଧ୍ୟବର୍ତ୍ତୀକାଳୀନ ସରକାର ଚଳାଇବ। ଏଥିପାଇଁ ସେନା ମୁଖ୍ୟ ଜେନେରାଲ ୱାକର ଉଜ ଜମାନ ୧୦ ଜଣିଆ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରିଛନ୍ତି, କିନ୍ତୁ ଏଥିରେ ଜଣେ ହିନ୍ଦୁ ମଧ୍ୟ ସାମିଲ ହୋଇଛନ୍ତି।

ଡ. ଦେବପ୍ରିୟ ଭଟ୍ଟାଚାର୍ଯ୍ୟ ଜଣେ ଜଣାଶୁଣା ଅର୍ଥନୀତିଜ୍ଞ ଏବଂ ଜଣେ ହିନ୍ଦୁ। ଶେଖ ହସିନାଙ୍କ ସରକାରରେ ଦେବପ୍ରିୟା ମଧ୍ୟ ଅର୍ଥନୈତିକ ନୀତିରେ ପରାମର୍ଶଦାତା ରହିସାରିଛନ୍ତି। ତାଙ୍କ ମା ମଧ୍ୟ ବାଂଲାଦେଶର ସାଂସଦ ରହିଛନ୍ତି। ପିତା ଦେବେଶ ଭଟ୍ଟାଚାର୍ଯ୍ୟ ଜଣେ ଜଣାଶୁଣା ଓକିଲ ଥିଲେ। ସେ ସୁପ୍ରିମକୋର୍ଟର ଓକିଲ ଭାବରେ କାର୍ଯ୍ୟ କରିଛନ୍ତି।

ଭଟ୍ଟାଚାର୍ଯ୍ୟ ସେଣ୍ଟ ଗ୍ରେଗୋରୀ ହାଇସ୍କୁଲ ଏବଂ ଢାକା କଲେଜରେ ଅଧ୍ୟୟନ କରିଥିଲେ। ଏହା ପରେ ସେ ମସ୍କୋରୁ ଅର୍ଥନୀତିରେ ଏମଏସସି ଏବଂ ପିଏଚଡି କରିଥିଲେ। ୨୦୦୭ରେ ଭଟ୍ଟାଚାର୍ଯ୍ୟ ବିଶ୍ୱ ବାଣିଜ୍ୟ ସଂଗଠନ ତଥା ଜେନେଭାରେ ମିଳିତ ଜାତିସଂଘ କାର୍ଯ୍ୟାଳୟରେ ବାଂଲାଦେଶର ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ ହୋଇଥିଲେ। ସେ ବାଂଲାଦେଶର ସ୍ଥାୟୀ ପ୍ରତିନିଧୀ ମଧ୍ୟ ରହିଛନ୍ତି। ତେବେ ପରେ ସେ ଏହି ପଦ ଛାଡିଥିଲେ।

ବର୍ତ୍ତମାନ ସେନା ତାଙ୍କୁ ସରକାରରେ ଅନ୍ତର୍ଭୁକ୍ତ କରିଛି। ଏହା କରି ସେନା ଏକ ସ୍ପଷ୍ଟ ବାର୍ତ୍ତା ଦେଇଛି ଯେ ଦେଶରେ ଧାର୍ମିକ ତଥା ସାମାଜିକ ସମସ୍ୟା ଦୂର କରାଯାଉ। ବାଂଲାଦେଶ ସେନାରେ ବହୁ ସଂଖ୍ୟକ ହିନ୍ଦୁ ଅଛନ୍ତି। ଅନେକ ହିନ୍ଦୁ ମଧ୍ୟ ସେଠାରେ ରୁହନ୍ତି, ବର୍ତ୍ତମାନ ଭଟ୍ଟାଚାର୍ଯ୍ୟଙ୍କୁ ସରକାରକୁ ଆଣି ହିନ୍ଦୁମାନଙ୍କୁ ମଧ୍ୟ ଏକ ବାର୍ତ୍ତା ଦିଆଯାଉଛି ।

 

Share