ଭାରତ ପଛରେ ୟୁନୁସ୍‌ ସରକାର କରୁଛନ୍ତି ଏମିତି…

କାଇରୋ,୨୧ା୧୨: ବାଂଲାଦେଶର ଅନ୍ତରୀଣ ନେତା ମହମ୍ମଦ ୟୁନୁସ୍‌ ପାକିସ୍ତାନ ସହ ସମ୍ପର୍କ ସୁଦୃଢ଼ କରିବାକୁ ଚାହାନ୍ତି ବୋଲି କହିଛନ୍ତି। ତାଙ୍କର ଏଭଳି ମନ୍ତବ୍ୟରୁ ଭାରତ ସହ ବାଂଲାଦେଶର ସମ୍ପର୍କ ଅଧିକ ଖରାପ ହେବା ସମ୍ଭାବନା ସୃଷ୍ଟି ହୋଇଛି। ୧୯୭୧ ଯୁଦ୍ଧ ପରେ ପୂର୍ବ ପାକିସ୍ତାନ ଅଲଗା ହୋଇ ବାଂଲାଦେଶ ସୃଷ୍ଟି ହେବା ସହ ଭାରତ ସହିତ ଘନିଷ୍ଠ ସମ୍ପର୍କ ରଖିଆସିଥିଲା। ତେବେ ଗତ ଅଗଷ୍ଟରେ ବାଂଲାଦେଶରେ ଶେଖ୍‌ ହାସିନା ସରକାରର ପତନ ପରେ ଢାକା ଏବଂ ନୂଆଦିଲ୍ଲୀ ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇଛି। ଇଜିପ୍ଟରେ ଏକ ସମ୍ମିଳନୀ ଅବସରରେ ୟୁନୁସ୍‌ ପାକ୍‌ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କୁ ଭେଟି ୧୯୭୧ ଯୁଦ୍ଧକୁ ନେଇ ରହିଥିବା ଆପତ୍ତି ଅଭିଯୋଗର ସମାଧାନ ଚାହାନ୍ତି ବୋଲି କହିଛନ୍ତି। ଆଗକୁ ଯିବାକୁ ହେଲେ ଏହି ପ୍ରସଙ୍ଗର ସମାଧାନ କରିବାକୁ ହେବ ବୋଲି ୟୁନୁସ୍‌ କହିଥିବା ଜଣାପଡ଼ିଛି। ଦ୍ୱିପାକ୍ଷିକ ଏବଂ ବହୁପାକ୍ଷିକ ସହଯୋଗକୁ ଅଧିକ ସୁଦୃଢ଼ କରାଇବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଶରିଫ୍‌ କହିଛନ୍ତି।

Share