ଅନିଶ୍ଚିତତା ଓ ହିଂସା କବଳିତ ବାଂଲାଦେଶ

ସରକାରୀ ଚାକିରିରେ ସଂରକ୍ଷଣ (କୋଟା) ସଂସ୍କାର ଦାବିରେ ବାଂଲାଦେଶରେ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା, ତା’ର ପରିଣତିରେ ଦେଶ ଛାଡ଼ି ପଳାଇବାକୁ ହେଲା ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା ୱାଜେଦଙ୍କୁ। ସ୍ବାଧୀନ ବାଂଲାଦେଶର ଆତ୍ମପ୍ରକାଶ ପରେ ଦେଶର ମୁକ୍ତିଯୋଦ୍ଧାମାନଙ୍କ ପରିବାରଙ୍କ ପାଇଁ ସରକାରୀ ଚାକିରିରେ ଯେଉଁ ସଂରକ୍ଷଣର ବ୍ୟବସ୍ଥା କରାଯାଇଥିଲା, ଏକ ସମୟରେ ହାସିନାଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ ସେହି ସଂରକ୍ଷଣ ଉଠାଇ ଦିଆଯାଇଥିଲା। ଏହା ବିରୋଧରେ ମୁକ୍ତିଯୋଦ୍ଧା ପରିବାରମାନେ ଦାଏର କରିଥିବା ମାମଲାର ରାୟରେ ହାଇକୋର୍ଟ ସେହି ସଂରକ୍ଷଣ ଫେରାଇ ଦେଇଥିଲେ। ଏହାର ବାତିଲ ଦାବି କରି ଆରମ୍ଭ ହୋଇଥିଲା ଛାତ୍ର ଆନ୍ଦୋଳନ। ପ୍ରଥମରୁ ଏହା ଶାନ୍ତିପୂର୍ଣ୍ଣ ଥିବାବେଳେ କ୍ରମଶଃ ସେହି ଆନ୍ଦୋଳନ ଦାବାନଳ ପରି ସରକାର ପତନ ଆନ୍ଦୋଳନରେ ରୂପାନ୍ତରିତ ହେଲା । ବାଂଲାଦେଶ ସୁପ୍ରିମକୋର୍ଟ ହାସିନା ସରକାରଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ରାୟକୁ ବାତିଲ କରିଦେଇଥିଲେ ମଧ୍ୟ ବାଂଲାଦେଶ ଶାନ୍ତ ହୋଇନାହିଁ। ସୁପ୍ରିମକୋର୍ଟ ରାୟ ପରେ ବାଂଲାଦେଶ ଶାନ୍ତ ହୋଇଆସିବ ଏବଂ ହାସିନା ସରକାର ପରିସ୍ଥିତିକୁ ସମ୍ଭାଳିନେବେ। କିନ୍ତୁ ତାହା ହେଲା ନାହିଁ। ଜନତାଙ୍କ ଚାପା କ୍ରୋଧ ପରିପ୍ରକାଶ ହେଲା।

୧୯୬୬ରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ ଶେଖ୍‌ ହାସିନା, ଥିଲେ ୨୦୦୧ ପର୍ଯ୍ୟନ୍ତ। ସେହି ନିର୍ବାଚନ ହୋଇଥିଲା ୨୦୦୮ ଡିସେମ୍ବରରେ ଏକ କାର୍ଯ୍ୟନିର୍ବାହୀ ତଦାରଖକାରୀ ସରକାରର ତତ୍ତ୍ୱାବଧାନରେ। କିନ୍ତୁ ୨୦୧୪ରେ ପୁଣି ନିର୍ବାଚନ ଜିତି କ୍ଷମତାସୀନ ହୋଇଥିଲେ। ୨୦୧୯ ନିର୍ବାଚନ ପୂର୍ବରୁ ତାଙ୍କ ବିରୋଧରେ ବାଂଲାଦେଶରେ ବିରୋଧୀ ଆନ୍ଦୋଳନ ଶକ୍ତିଶାଳୀ ହୋଇଉଠିଲା। ହାସିନା ନିଜେ ଏକ ତତ୍ତ୍ୱାବଧାରକ ସରକାର ତତ୍ତ୍ୱାବଧାନରେ ଅନୁଷ୍ଠିତ ନିର୍ବାଚନରେ ବିଜୟୀ ହୋଇ ୨୦୧୯ରେ ପ୍ରଧାନମନ୍ତ୍ରୀ ପଦକୁ ଫେରିଥିଲେ ମଧ୍ୟ ୨୦୧୯ ନିର୍ବାଚନ ପୂର୍ବରୁ ସେହି ଦାବି ଉଠିଲେ ମଧ୍ୟ ସେ ଏହାକୁ ଗ୍ରହଣ କଲେ ନାହିଁ। ସମାନ ଦାବି ୨୦୧୪ରେ ଉଠିଥିଲା। ତାକୁ ମଧ୍ୟ ମାନି ନ ଥିଲେ। ବାଂଲାଦେଶକୁ ବିଶ୍ୱ କ୍ଷୁଧା ସୂଚକାଙ୍କରେ ଉପରକୁ ଉଠାଇବା, ଶେଖ୍‌ ମୁଜିବୁର ରହମନ ଏବଂ ତାଙ୍କ ପରିବାରର ସଦସ୍ୟମାନଙ୍କ ହତ୍ୟାକାରୀଙ୍କୁ ବିଚାର କରି ଦଣ୍ଡ ପ୍ରଦାନ, ମୁକ୍ତିଯୁଦ୍ଧକୁ ସମ୍ମାନ ପ୍ରଦାନ, ଚଟ୍ଟଗ୍ରାମ ଶାନ୍ତି ଚୁକ୍ତି ମାଧ୍ୟମରେ ସେଠାରେ ଉଗ୍ରପନ୍ଥାର ଅବସାନ ଘଟାଇବା, ବେସରକାରୀ ଶିଳ୍ପର ପ୍ରସାର କରାଇବା, ବେକାର ଯୁବତୀ ଯୁବକଙ୍କ ପାଇଁ ପ୍ରଶିକ୍ଷଣ ଓ ଋଣର ବ୍ୟବସ୍ଥା କରିବା ଏଭଳି ବେଶ୍‌ କିଛି ଇତିବାଚକ ଉଦ୍ୟମ ତାଙ୍କ ସରକାର ନେଇଥିଲେ ମଧ୍ୟ ଶେଷ ଦଶବର୍ଷରେ ମାନବାଧିକାର ଲଙ୍ଘନର ବେଶ୍‌ କିଛି ଗୁରୁତର ଅଭିଯୋଗ ଉଠିଥିଲା। ସଂରକ୍ଷଣ ବିରୋଧୀ ଆନ୍ଦୋଳନ ସମୟରେ ହତ୍ୟାକାଣ୍ଡ ବଳିଯାଇଥିଲା। ହାସିନାଙ୍କ ନୀତିର ବିରୋଧ କରୁଥିବା ରାଜନୈତିକ ବିରୋଧୀ ଓ ସାମ୍ବାଦିକମାନେ ଅନେକ ଗିରଫ ହୋଇଛନ୍ତି ଓ ବିଭିନ୍ନ ମାମଲାରେ ସେମାନଙ୍କୁ ଛନ୍ଦି ଦିଆଯାଇଛି। ତଥ୍ୟ ସ୍ବାଧୀନତା ଦାବିରେ ଆନ୍ଦୋଳନରତ ଆନ୍ତର୍ଜାତିକ ସଙ୍ଗଠନ ‘ରିପୋର୍ଟର୍ସ ଉଇଦାଉଟ୍‌ ବର୍ଡର’ ୨୦୨୧ରେ ଏକ ରିପୋର୍ଟରେ ଜଣାଇଥିଲା, ୨୦୧୪ରୁ ବାଂଲାଦେଶର ଗଣମାଧ୍ୟମର ସ୍ବାଧୀନତା ଖର୍ବ କରାଯାଇଛି। ଏହିସବୁ ସହ ଶେଖ୍‌ ହାସିନାଙ୍କ ଦଳ ଆୱାମୀ ଲିଗ୍‌ ଏବଂ ଦଳର ଛାତ୍ର ସଂଗଠନ ଛାତ୍ର ଲିଗ୍‌ର ଏକାଂଶର ନେତା ଓ କର୍ମୀମାନଙ୍କ କ୍ଷମତାର ଆସ୍ଫାଳନ, ଔଦ୍ଧତ୍ୟ, ବିଭିନ୍ନ ସ୍ତରରେ ଦୁର୍ନୀତି ଏବଂ ଦରବୃଦ୍ଧି ଓ ବେକାରିର କ୍ରମବର୍ଦ୍ଧମାନ ଚାପ ତାଙ୍କୁ ଅପ୍ରିୟ କରିଥିଲା।
ବାଂଲାଦେଶରେ ମୌଳବାଦୀ ଶକ୍ତି ଚିରକାଳ ସକ୍ରିୟ। ଏହି ମୌଳବାଦୀ ଶକ୍ତି ହିଁ ଶେଖ୍‌ ମୁଜିବ ଏବଂ ତାଙ୍କ ପରିବାରର ସଦସ୍ୟମାନଙ୍କୁ ୧୯୭୫ ଅଗଷ୍ଟ ୧୫ରେ ନୃଶଂସ ଭାବେ ହତ୍ୟା କରିଥିଲା। ବିଦେଶରେ ଥିବାରୁ ହାସିନା ଏବଂ ତାଙ୍କ ଭଉଣୀ ରେହେନା ଏହି ବର୍ବରତାରୁ ବର୍ତ୍ତିଯାଇଥିଲେ। ଅଗଷ୍ଟ ୪ ତାରିଖରେ ଯେତେବେଳେ ପ୍ରାୟ ଶତାଧିକ ପ୍ରାଣ ହରାଇଲେ ସଂଘର୍ଷରେ, ସେହି ରକ୍ତ ସ୍ରୋତରୁ ବୋଧେ ହାସିନା ବାର୍ତ୍ତା ପାଇଗଲେ ଯେ ଆଉ ସମ୍ଭବ ନୁହେଁ। ସେନାବାହିନୀ ମଧ୍ୟ ସୋମବାର ଅଗଷ୍ଟ ୫ ତାରିଖ ସକାଳେ ହାସିନା ସରକାର ଉପରୁ ହାତ ତୋଳିନେଲେ। ଏଣୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ଛଡ଼ା ଦ୍ୱିତୀୟ କୌଣସି ପଥ ନ ଥିଲା ହାସିନାଙ୍କ ଆଗରେ। ସମ୍ଭବତଃ ସୈନ୍ୟବାହିନୀର ପରାମର୍ଶକ୍ରମେ ତାଙ୍କ ଜୀବନ ପ୍ରତି ବିପଦର ଆଶଙ୍କାରେ ସେ ଦେଶ ଛାଡ଼ିଛନ୍ତି। ଅନିଶ୍ଚିତ ହୋଇଗଲା ତାଙ୍କ ଜୀବନ।

ଏହାଠାରୁ ବେଶି ଅନିଶ୍ଚିତତାର ମୁହଁରେ ବାଂଲାଦେଶ ଛିଡ଼ା ହୋଇଛି। ଅଗଷ୍ଟ ୫ରେ ହାସିନା ସରକାରର ଇସ୍ତଫା ଏବଂ ତାଙ୍କର ଦେଶ ତ୍ୟାଗ ଖବର ପ୍ରଚାରିତ ହେବା ପରେ ଏକ ଦଳ ଜନତା ସଂସଦ ଭବନ (ଗଣ ପରିଷଦ), ପ୍ରଧାନମନ୍ତ୍ରୀଙ୍କ ବାସଭବନ ଏବଂ ଢାକାର ଧାନମଣ୍ଡିସ୍ଥିତ ଶେଖ୍‌ ମୁଜିବଙ୍କର ସ୍ମୃତି ବିଜଡ଼ିତ ବଙ୍ଗବନ୍ଧୁ ଭବନରେ ପ୍ରବେଶ କଲେ ହଜାର ହଜାର ସଂଖ୍ୟାରେ। ଭଙ୍ଗାରୁଜା କଲେ, ଏପରି କି ଶେଖ ମୁଜିବୁର ରହମାନଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିଦେଲେ। ଏକଥା ତ ଅସ୍ବୀକାର କରିବାର କୌଣସି ରାସ୍ତା ନାହିଁ ଯେ ବଙ୍ଗବନ୍ଧୁ ମୁଜିବୁର ରହମନଙ୍କ ନେତୃତ୍ୱରେ ଆଜିକାର ସ୍ବାଧୀନ ବାଂଲାଦେଶର ଜନ୍ମ। ତାଙ୍କର ଆପୋସବିହୀନ ଲଢ଼େଇ ସଂଗ୍ରାମ ଯୋଗୁ ବାଂଲାଦେଶର ମୁକ୍ତିଯୁଦ୍ଧ ସ୍ବାଧୀନ ବାଂଲାରେ ପରିଣତ ହୋଇଥିଲା। ସେହି ମୁଜିବୁରଙ୍କୁ ଓ ତାଙ୍କ ପରିବାରକୁ ନୃଶଂସ ଭାବରେ ହତ୍ୟା କରାଯାଇଥିଲା ଧାନମଣ୍ଡିର ଏହି ଘରେ, ଯାହାକୁ ଏକ ସ୍ମୃତି ଭବନର ମର୍ଯ୍ୟାଦା ଦିଆଯାଇଛି। ଘର ଭିତର କାନ୍ଥରେ ମୁଜିବୁରଙ୍କ ବୁଲେଟବିଦ୍ଧ ଶରୀରର କଳାଧଳା ଛବି। ଦେୱାଲରେ ମୁଜିବୁର ଓ ତାଙ୍କ ପରିବାରର ବୁଲେଟବିଦ୍ଧ ଶରୀରରୁ ଛିଟିକି ପଡ଼ିଥିବା ରକ୍ତର ଦାଗ ସବୁ ରଖାଯାଇଥିଲା। ଏସବୁକୁ ପୋଡ଼ି ଦେଇଛନ୍ତି ଦଳେ ଉନ୍ମତ୍ତ ଜନତା। ଆସବାବପତ୍ର ମଧ୍ୟ ଲୁଟ୍‌ କରି ନେଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ବାସ ଭବନରୁ। ଆକ୍ରମଣରୁ ମଧ୍ୟ ଛାଡ଼ ପାଇନାହାନ୍ତି ସଂଖ୍ୟାଲଘୁ ହିନ୍ଦୁମାନେ। ହିଂସା ରୋକିବା ଏବଂ ସମଗ୍ର ଦେଶର ଜନ ଓ ଧନସମ୍ପତ୍ତିର ସୁରକ୍ଷା, ଧର୍ମୀୟ ଓ ଜାତିଗତ ସଂଖ୍ୟାଲଘୁଙ୍କ ଧନ ଓ ଜୀବନର ସୁରକ୍ଷା ନିଶ୍ଚିତ କରିବା ପାଇଁ ଦେଶବାସୀଙ୍କୁ ସକ୍ରିୟ ଭୂମିକା ନେବାର ଆହ୍ବାନ ଜଣାଇଛି ଦେଶର ୧୫ଟି ବାମଗଣତାନ୍ତ୍ରିକ ଦଳ ମିଳିତ ଭାବେ। ଢାକା ସହ ବିଭିନ୍ନ ସହରରେ ସୈନ୍ୟବାହିନୀ ପହରା ଦେଉଥିଲେ ମଧ୍ୟ ହିଂସା ରୋକିବାରେ କୌଣସି ଉଦ୍ୟମ ନ ନେବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବାମଗଣତାନ୍ତ୍ରିକ ସାମ୍ମୁଖ୍ୟ।
ବାଂଲାଦେଶରେ ନୋବେଲ ଶାନ୍ତି ବିଜେତା ମହମ୍ମଦ ୟୁନୁସଙ୍କୁ ଅନ୍ତରୀଣ ସରକାରରେ ମୁଖ୍ୟ କରାଯାଇଥିଲେ ମଧ୍ୟ ଅସଲ କ୍ଷମତା ଏବେ ସେନା ହାତରେ। ସେନା ମୁଖ୍ୟଙ୍କର ଚରମ ମୌଳବାଦୀ ଦକ୍ଷିଣପନ୍ଥୀ ଜମାଏତି-ଇ ଇସଲାମିର ନେତୃତ୍ୱ ସହ ଆଳାପ ଓ ଆଲୋଚନା ଏବଂ ଦେଶରେ ଗଣ ଅଭ୍ୟୁଥାନ ପରେ ନିର୍ବିଚାରରେ ଚାଲିଥିବା ହିଂସାକାଣ୍ଡକୁ ରୋକିବା ପାଇଁ ପରାମର୍ଶ ନ ନେବା ଏବଂ ଧାନମଣ୍ଡିସ୍ଥିତ ବଙ୍ଗ ଭବନ ଓ ମୁଜିବୁର ରହମନଙ୍କ ମୂର୍ତ୍ତିର ଭଙ୍ଗାରୁଜାକୁ ବନ୍ଦ କରିବା ତ ଦୂରର କଥା ଏହାକୁ ନିନ୍ଦା ନ କରିବା ଶୁଭ ଲକ୍ଷଣ ନୁହେଁ। ଏଥର ତାଙ୍କ ଅପସାରଣ ଦାବିରେ ହୋଇଥିବା ଆନ୍ଦୋଳନରେ ଯେଭଳି ଭାବେ ବଙ୍ଗବନ୍ଧୁ ଭବନ ପୋଡ଼ିଦିଆଗଲା ଓ ତାଙ୍କ ମୂର୍ତ୍ତିକୁ ଭାଙ୍ଗି ଦିଆଗଲା, ଏଥିରୁ ଏହି ଆନ୍ଦୋଳନକୁ ମୁକ୍ତିଯୋଦ୍ଧା ବିରୋଧୀ ଶକ୍ତି କବଳିତ କରିନେବା ସୁସ୍ପଷ୍ଟ ହୋଇଯାଇଛି। ସୁଯୋଗ ନେଇଛି ମୌଳବାଦୀ ଶକ୍ତି। ଛାତ୍ରୀଛାତ୍ରମାନଙ୍କୁ ଆଗରେ ରଖି ସେମାନଙ୍କ ପତାକାବିହୀନ ଆନ୍ଦୋଳନରେ ଉଗ୍ର ବିଷ ଛାଡ଼ିଦେଇଛନ୍ତି, ଜମାଏତ- ଇ ଇସଲାମି ଓ ଖଲିଦା ଜିଆଙ୍କ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି। ଯେଉଁମାନେ ଏହି ଗଣ ଅଭ୍ୟୁଥାନକୁ ଦ୍ୱିତୀୟ ସ୍ବାଧୀନତା ବୋଲି କହୁଛନ୍ତି, କିନ୍ତୁ ଆନ୍ଦୋଳନ ପରବର୍ତ୍ତୀ ଘଟଣାବଳୀ କହୁଛି, ଏହା ସ୍ବାଧୀନତା ନୁହେଁ, ସ୍ବାଧୀନତାର ଉଦ୍‌ଯାପନ। ଯେଉଁମାନେ ଆନ୍ଦୋଳନ କରୁଥିଲେ ସେମାନଙ୍କ ସପକ୍ଷରେ ଥିଲେ ବାଂଲାଦେଶର ଜନତା କିନ୍ତୁ ଆଜି ସେହି ଆନ୍ଦୋଳନକୁ ଯେପରି ମୌଳବାଦୀମାନେ ଅକ୍ତିଆର କରିନେଲେ, ତାହା ଦେଶକୁ ଭୁଲ୍‌ ପଥରେ ନେଇଯାଉଛି।

ବଙ୍ଗବନ୍ଧୁ ଏକ ନକ୍ଷତ୍ରର ନାମ। ଯାହାଙ୍କର ଗୁଣ ଓ ଋଣ ଅସୀମ। ତ୍ୟାଗ ଓ ପରାକାଷ୍ଠାର ଜ୍ୱଳନ୍ତ ନିଦର୍ଶନ। ଦୁର୍ଭାଗ୍ୟ ଯେ ସେହି ବାଂଲାଦେଶର ଜନତା ଏତେ ସହଜରେ ମୁଜିବୁରଙ୍କୁ ଭୁଲିଯାଇପାରିଲା। ହୁଏତ ବାଂଲାଦେଶ ଆଉ ଏକ ଆଫଗାନିସ୍ତାନ ବା ପାକିସ୍ତାନ ହେବାକୁ ଯାଉଛି। ମୁକ୍ତିଯୁଦ୍ଧର ଚେତନାକୁ ମ୍ଳାନ କରି ଧର୍ମନିରପେକ୍ଷତା ଓ ଗଣତନ୍ତ୍ରର ବିଦାୟ ଘଣ୍ଟି ବାଜିପାରେ। ପାକିସ୍ତାନ ପରି ସେନାର ନିୟନ୍ତ୍ରଣରେ ହୁଏତ ଏକ ତଥାକଥିତ ଗଣତାନ୍ତ୍ରିକ ସରକାର ଚାଲିପାରେ। କିନ୍ତୁ ଅନିଶ୍ଚିତ ଭବିଷ୍ୟତ ଓ ହିଂସାର ଦିଗକୁ ବଢ଼ିଲା ବାଂଲାଦେଶ।
ଉତ୍କଳମଣି ମାର୍ଗ, ଅପର୍ଣ୍ଣାନଗର,ଚାଉଳିଆଗଞ୍ଜ, କଟକ
ମୋ: ୯୪୩୭୩୮୪୮୬୭