Categories: ଖେଳ

ବାଂଲାଦେଶକୁ ଆବଶ୍ୟକ ୪୭୧ ରନ

ଚଟ୍ଟୋଗ୍ରାମ,୧୭।୧୨(ପି.ଟି.): ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଡ୍ରାଇଭର ସିଟ୍‌ରେ ଭାରତ। ଓପନର ଶୁବମନ ଗିଲ୍‌ ଓ ନିର୍ଭରଯୋଗ୍ୟ ଚେତେଶ୍ୱର ପୂଜାରାଙ୍କ ଶତକ ବଳରେ ଭାରତ ଦ୍ୱିତୀୟ ଇନିଂସରେ ୨୫୮/୨ରେ ଇନିଂସ ଘୋଷଣା କରିଛି। ଜବାବରେ ତୃତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ବାଂଲାଦେଶ ବିନା କ୍ଷତିରେ ୪୨ ରନ୍‌ କରିଥିବା ବେଳେ ବିଜୟ ପାଇଁ ଘରୋଇ ଦଳକୁ ଆଉ ୪୭୧ ରନ୍‌ ଆବଶ୍ୟକ ରହିଛି। ଦ୍ୱିତୀୟ ଦିନର ଅସମାପ୍ତ ସ୍କୋର ୧୩୩/୮ରୁ ଖେଳ ଆରମ୍ଭ କରି ବାଂଲାଦେଶ ଆଉ ମାତ୍ର ୧୭ ରନ୍‌ ଯୋଡିଥିଲା। ଅକ୍ଷରପକ୍ଷେ ପଟେଲ ଓ କୁଲଦୀପ ଯାଦବ ଗୋଟିଏ ଲେଖାଏ ଉଇକେଟ ନେଇ ବାଂଲାଦେଶ ଇନିଂସ ଶେଷ କରିଥିଲେ। ମୁଶଫିକୁର ରହିମ ସର୍ବାଧିକ ୨୮ ରନ୍‌ କରିଥିବା ବେଳେ କୁଲଦୀପ ଯାଦବ ୫ ଉଇକେଟ ସଫଳତା ହାସଲ କରିଥିଲେ। ୨୫୪ ରନରେ ଆଗୁଆ ରହିବା ପରେ ଭାରତ ପୁନର୍ବାର ବ୍ୟାଟିଂ କରିଥିଲା। ଷ୍ଟାଣ୍ଡଇନ୍‌ ଅଧିନାୟକ ଲୋକେଶ ରାହୁଲ ମାତ୍ର ୨୩ ରନ୍‌ କରି ଆଉଟ ହୋଇଥିବା ବେଳେ ଶୁବମନ ଗିଲ ୧୧୦ ଓ ଚେତେଶ୍ୱର ପୂଜାରା ୧୦୨* ଦ୍ୱିତୀୟ ଉଇକେଟରେ ଯୋଡିଥିଲେ ୧୧୩ ରନ୍‌। ଗିଲ୍‌ ୧୫୨ ବଲ୍‌ ଖେଳି ୧୦ ଚୌକା ଓ ୩ ଛକା ମାରିବା ସହିତ ଟେଷ୍ଟ କ୍ରିକେଟରେ ନିଜର ପ୍ରଥମ ଶତକ ହାସଲ କରିଥିଲେ। ୧୩୦ ବଲ ଖେଳିଥିବା ପୂଜାରା ୧୦୨ ରନର ଇନିଂସରେ ମାରିଥିଲେ ୧୩ ଚୌକା। ପୂଜାରା ଶତକ ହାସଲ କରିବା ପରେ ଭାରତ ଇନିଂସ ଘୋଷଣା କରିଥିଲା। ୫୧୩ ରନର ବିଶାଳ ଲକ୍ଷ୍ୟ ରହିଥିବା ବେଳେ ବ୍ୟାଟିଂ ଆରମ୍ଭ କରି ବାଂଲାଦେଶ ବିନା କୌଣସି ଉଇକେଟରେ ୪୨ ରନ୍‌ ସଂଗ୍ରହ କରିଛି। ମ୍ୟାଚ ଦୁଇ ଦିନ ବାକି ରହିଥିବା ବେଳେ ବାଂଲାଦେଶର ବିଜୟ ଅସମ୍ଭବ ପ୍ରତୀୟମାନ ହେଉଛି।
ସଂକ୍ଷିପ୍ତ ସ୍କୋର
ଭାରତ ପ୍ରଥମ ଇନିଂସ ୪୦୪। ବାଂଲାଦେଶ ପ୍ରଥମ ଇନିଂସ ୫୫.୫ ଓଭରରେ ୧୫୦/୧୦ (ମୁଶଫିକର ରହିମ୍‌-୨୮, ମେହିଦୀ ହସନ ମିରାଜ-୨୫, ଲିଟନ ଦାସ-୨୪, କୁଲଦୀପ ଯାଦବ-୫/୪୦, ମହମ୍ମଦ ସିରାଜ-୩/୨୦, ଅକ୍ଷର ପଟେଲ-୧/୧୦)। ଭାରତ ଦ୍ୱିତୀୟ ଇନିଂସ- ୬୧.୪ ଓଭରରେ ୨୫୮/୨ (ଶୁବମନ ଗିଲ-୧୧୦, ଚେତେଶ୍ୱର ପୂଜାରା-୧୦୨*, ଲୋକେଶ ରାହୁଲ-୨୩, ଖାଲେଦ ଅହମଦ-୧/୫୨, ମେହିଦୀ ହସନ ମିରାଜ-୧/୮୧)। ବାଂଲାଦେଶ ଦ୍ୱିତୀୟ ଇନିଂସ: ୪୨/୦।

Share