Categories: ଖେଳ

ଆଜିଠୁ ବାଂଲାଦେଶ ଦିନିକିଆ ସିରିଜ୍‌

ମୀରପୁର,୪ା୧୨(ପି.ଟି.): ଭାରତ ଓ ବାଂଲାଦେଶ ମଧ୍ୟରେ ଦିନିକିଆ ସିରିଜ ରବିବାରଠାରୁ ଆରମ୍ଭ ହେବ। ଏହି ସିରିଜ୍‌ରେ ଭାରତୀୟ ଦଳ ନିଜର ବ୍ୟାଟିଂ ଲାଇନ୍‌ଅପ୍‌ ସୁଧାରିବା ଲକ୍ଷ୍ୟରେ ରହିବ। ଘରୋଇ ପରିବେଶରେ ବାଂଲାଦେଶ ବିଶ୍ୱର ଅନ୍ୟତମ ବିପଜ୍ଜନକ ଦଳ। ରବିବାର ମୀରପୁରରେ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି। ୨୦୨୩ ବିଶ୍ୱକପ ପାଇଁ ଉଭୟ ଦଳ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଦଳ ସଜାଡ଼ିବାକୁ ପ୍ରୟାସ କରିବ ରୋହିତ ଶର୍ମାଙ୍କ ଭାରତ। ନ୍ୟୁଜିଲାଣ୍ଡ ସିରିଜରେ ଭାରତୀୟ ଦଳର ବିଫଳତା ପରେ କ୍ରିକେଟ ଫ୍ୟାନଙ୍କ ନଜର ଏହି ସିରିଜ ଉପରେ ରହିଛି। ରୋହିତ ଶର୍ମାଙ୍କ ସହିତ ଦ୍ୱିତୀୟ ଓପନିଂ ସ୍ଥାନ ପାଇଁ ଶିଖର ଧାଓ୍ବନ ଓ ଲୋକେଶ ରାହୁଲଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ରହିବ। ବିଗତ କିଛି ସିରିଜରେ ଧାଓ୍ବନ ବଢିଆ ଫର୍ମରେ ରହିଥିବା ବେଳେ ରାହୁଲଙ୍କ ରେକର୍ଡକୁ ଦେଖିଲେ ଭାରତୀୟ ଦଳ ତାଙ୍କୁ ଅଗ୍ରାଧିକାର ଦେଇପାରେ। ସେହିପରି ବିଗତ କିଛି ସିରିଜରେ ରାହୁଲଙ୍କୁ ମଧ୍ୟକ୍ରମରେ ଖେଳାଇଥିଲା ଭାରତୀୟ ମ୍ୟାନେଜମେଣ୍ଟ। ତେଣୁ ମଧ୍ୟକ୍ରମରେ ଭାରତୀୟ ଦଳର ବ୍ୟାଟିଂ ଅର୍ଡରକୁ ନେଇ ମଧ୍ୟ ସଂଶୟ ରହିଛି। ବିରାଟ କୋହଲି ଦଳକୁ ଫେରୁଥିବାରୁ ସେ ୩ ନମ୍ବରରେ ବ୍ୟାଟିଂ କରିବେ। ସୂର୍ଯ୍ୟକୁମାର ଯାଦବଙ୍କୁ ଏହି ସିରିଜରୁ ବିଶ୍ରାମ ଦିଆଯାଇଥିବା ବେଳେ ରିଷଭ ପନ୍ତ ଓ ଶ୍ରେୟାସ ଆୟର ୪ ଓ ୫ ନମ୍ବରରେ ବ୍ୟାଟିଂ କରିପାରନ୍ତି। ହାର୍ଦ୍ଦିକ୍‌ ପାଣ୍ଡ୍ୟା ୬ ନମ୍ବର ବ୍ୟାଟର ଭାବରେ ଖେଳିବେ। ସେହିପରି ବୋଲିଂ ଅଲରାଉଣ୍ଡର ଭାବରେ ଓ୍ବାଶିଂଟନ୍‌ ସୁନ୍ଦର ଓ ଶାହବାଜ ଅହମଦଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ। ବୋଲରଙ୍କ ମଧ୍ୟରେ ମହମ୍ମଦ ଶାମି ଆହତ ହୋଇଥିବାରୁ ତାଙ୍କ ସ୍ଥାନରେ ଉମ୍ରାନ ମଲିକଙ୍କୁ ଦଳରେ ସାମିଲ କରାଯାଇଛି। ସେହିପରି ଦୀପକ ଚହର ଓ ଶାର୍ଦ୍ଦୂଳ ଠାକୁରଙ୍କ ମଧ୍ୟରୁ ଜଣଙ୍କୁ ଖେଳାଇପାରେ ଭାରତ। ନ୍ୟୁଜିଲାଣ୍ଡ ସିରିଜରେ ବିଫଳତା ସତ୍ତ୍ୱେ ୟୁଜବେନ୍ଦ୍ର ଚହଲଙ୍କୁ ସୁଯୋଗ ଦେଇପାରେ ଭାରତ। ବାଂଲାଦେଶର ପିଚ୍‌ ସ୍ପିନ୍‌ ସହାୟକ ଥିବାରୁ କୁଲଦୀପ ଯାଦବଙ୍କୁ ସୁଯୋଗ ଦେଇପାରେ ଭାରତୀୟ ମ୍ୟାନେଜମେଣ୍ଟ।

Share