Categories: ଖେଳ

ଆହତ ସତ୍ତ୍ୱେ ଟସ୍କିନ ଅହମଦଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଢାକା,୧୪ା୫: ପାର୍ଶ୍ୱ ଯନ୍ତ୍ରଣା ପାଇଁ ଚିକିତ୍ସାଧୀନ ଥିବା ସତ୍ତ୍ୱେ ପେସ୍‌ ବୋଲର ଟସ୍କିନ ଅହମଦ ଆସନ୍ତା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ବାଂଲାଦେଶ ଦଳରେ ସ୍ଥାନ ପାଇଛନ୍ତି। ତାଙ୍କୁ ଦଳର ଉପଅଧିନାୟକ କରାଯାଇଛି। ଗତ ସପ୍ତାହରେ ଜିମ୍ବାଓ୍ବେ ବିପକ୍ଷ ୫ମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ପୂର୍ବରୁ ସେ ଆଘାତପ୍ରାପ୍ତ ହୋଇଥିଲେ। ପୂର୍ବରୁ ଏହି ୨୯ ବର୍ଷୀୟ ସିରିଜରେ ଭଲ ପ୍ରଦର୍ଶନ କରିଥିଲେ। ସେ ୪ଟି ଗେମ୍‌ ଖେଳି ୪.୫୬ ଇକୋନୋମି ରେଟ୍‌ରେ ୮ ଉଇକେଟ ଦଖଲ କରିଥିଲେ।

ନଜମୁଲ ହୋସେନ ଶାନ୍ତୋଙ୍କୁ ୧୫ଜଣିଆ ବାଂଲାଦେଶ ଦଳର ଅଧିନାୟକ ମନୋନୀତ କରାଯାଇଛି। ଦଳରେ ବହୁ ଅଭିଜ୍ଞ ଖେଳାଳିଙ୍କୁ ନିଆଯାଇଛି। ବର୍ତ୍ତମାନ ଖରାପ ଫର୍ମରେ ରହିଥିଲେ ସୁଦ୍ଧା ଓପନର ଲିଟନ ଦାସଙ୍କୁ ଦଳରେ ନିଆଯାଇଛି। ଷ୍ଟାର ଅଲ୍‌ ରାଉଣ୍ଡର ଶକିବ ଅଲ୍‌ ହସନ ହେଉଛନ୍ତି ଦଳର ସବୁଠାରୁ ବରିଷ୍ଠ ଖେଳାଳି। ୨୦୦୭ରୁ ଏହି ଇଭେଣ୍ଟ ଆରମ୍ଭ ହେବା ପୂର୍ବରୁ ସେ ପ୍ରତ୍ୟେକଟିରେ ଅଂଶଗ୍ରହଣ କରି ଆସିଛନ୍ତି। ଜୁନ ୭ରେ ଟେକ୍ସାସର ଡଲାସଠାରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ ସହ ବାଂଲାଦେଶ ଏହାର ଅଭିଯାନ ଆରମ୍ଭ କରିବ। ଦକ୍ଷିଣ ଆଫ୍ରିକା, ନେଦରଲାଣ୍ଡ୍ସ ଓ ନେପାଳ ସହ ବାଂଲାଦେଶ ଗ୍ରୁପ୍‌ ‘ଡି’ରେ ସ୍ଥାନ ପାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)ର ମାନଦଣ୍ଡ ଅନୁସାରେ ଅନ୍ତର୍ଜାତୀୟ ଟି୨୦ ଟିମ୍‌ ର଼୍ୟାଙ୍କିଙ୍ଗକୁ ଭିତ୍ତି କରି ବାଂଲାଦେଶ କ୍ରମାଗତ ୯ମ ଥର ବିଶ୍ୱକପ୍‌ ଖେଳିବାକୁ ଯାଉଛି।

ବାଂଲାଦେଶ ଦଳ: ନଜମୁଲ ହୋସେନ ଶନ୍ତୋ (ଅଧିନାୟକ), ଟସ୍କିନ ଅହମଦ (ଉପଅଧିନାୟକ), ଲିଟନ ଦାସ, ସୌମ୍ୟ ସରକାର, ତାନଜିଦ ହସନ, ଶକିବ ଅଲ୍‌ ହସନ, ତୋହିଦ ହ୍ରିଦୟ, ମହମୁଦୁଲ୍ଲା ଜାକର ଅଲ୍ଲୀ, ତନଭିର ଇସ୍‌ଲାମ୍‌, ମେହେଦି ହସନ, ରିଶାଦ ହୋସେନ, ମୁସ୍ତାଫିଜୁର ରହମନ, ଶୋରିଫୁଲ୍‌ ଇସ୍‌ଲାମ, ତାନଜିମ୍‌ ହସନ। ଟ୍ରଭେଲିଂ ରିଜର୍ଭସ: ହସନ ମେହମୁଦ, ଅଫିଫ ହୋସେନ।

Share