ଢାକା, ୧୨।୧୦: କରୋନା ଭାଇରସ୍ ଲାଗି ଚଳିତ ବର୍ଷ ବାଂଲାଦେଶର ଘରୋଇ ଟି୨୦ ଲିଗ୍ ‘ବାଂଲାଦେଶ ପ୍ରିମିୟର ଲିଗ୍’ (ବିପିଏଲ୍) ଆୟୋଜନ ହେବ ନାହିଁ। ଏହି ଟି୨୦ ଟୁର୍ନାମେଣ୍ଟ ବାତିଲ ହୋଇଥିବା ନେଇ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ପକ୍ଷରୁ ଘୋଷଣା କରାଯାଇଛି। ବିସିବି ସଭାପତି ନଜମୁଲ ହାସନ ରବିବାର ଏହି ଘୋଷଣା କରିଛନ୍ତି। ‘ଚଳିତ ବର୍ଷ ବିପିଏଲ୍ ଆୟୋଜିତ ହେବ ନାହିଁ। ଆସନ୍ତା ବର୍ଷ ଦେଖିବା। ଆମେ ଗୋଟିଏ ମ୍ୟାଚ୍ ହାତଛଡ଼ା କରିବାକୁ ଚାହୁଁନାହୁଁ। କିନ୍ତୁ ପରିସ୍ଥିତି ଉପରେ ସବୁକିଛି ନିର୍ଭର କରେ’ ବୋଲି ନଜମୁଲ କହିଛନ୍ତି। ୟୁଏଇରେ ଚାଲିଥିବା ଆଇପିଏଲ୍ ଭଳି ବିଦେଶୀ ମାଟିରେ ବିପିଏଲ୍ ଆୟୋଜନ ହେବାର ସମ୍ଭାବନାକୁ ନଜମୁଲ ଏଡ଼ାଇ ଦେଇଛନ୍ତି। ବାୟୋ-ସୁରକ୍ଷିତ ପରିବେଶ ସୃଷ୍ଟି କରି ଏତେ ଟଙ୍କା ବ୍ୟୟରେ ଟୁର୍ନାମେଣ୍ଟ ଆୟୋଜନ କରିବା ଆମ ପକ୍ଷେ ସମ୍ଭବପର ନୁହେଁ ବୋଲି ଏହି ଅବସରରେ ନଜମୁଲ ପ୍ରକାଶ କରିଛନ୍ତି।