ସଂରକ୍ଷଣ ବିରୋଧରେ ଆଜି ବାଂଲାଦେଶ ବନ୍ଦ

ଢାକା,୧୮।୭: ବାଂଲାଦେଶର ସରକାରୀ ନିଯୁକ୍ତିରେ ରହିଥିବା ସଂରକ୍ଷଣ ବ୍ୟବସ୍ଥାରେ ସଂସ୍କାର ଦାବିରେ ବିକ୍ଷୋଭକାରୀ ଛାତ୍ରୀଛାତ୍ରମାନେ ଗୁରୁବାର ଦେଶବ୍ୟାପୀ ବନ୍ଦ ଡାକରା ଦେଇଛନ୍ତି। ସଂରକ୍ଷଣ ବ୍ୟବସ୍ଥାରେ ସଂସ୍କାର ଆଣିବା ଦାବିରେ ଆନ୍ଦୋଳନ ମୁଣ୍ଡ ଟେକିଥିବାବେଳେ ମଙ୍ଗଳବାର ବିକ୍ଷୋଭକାରୀଙ୍କ ପୋଡ଼ାଜଳା ଓ ଭଙ୍ଗାରୁଜା ଯୋଗୁ ସ୍କୁଲ୍‌ କଲେଜ ବନ୍ଦ ହୋଇଯାଇଥିବାବେଳେ ପୋଲିସ ସହ ସଂଘର୍ଷରେ ୩ ଛାତ୍ରଙ୍କ ସମେତ ଅନୂ୍ୟନ ୬ ଜଣଙ୍କ ମୃତ୍ୟୁ ଘଟିଥିଲା ଓ ୪୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ସୁରକ୍ଷା ବଳର ଦମନମୂଳକ କାର୍ଯ୍ୟାନୁଷ୍ଠାନକୁ ଛାତ୍ର ସଂଗଠନଗୁଡ଼ିକ ବିରୋଧ କରିଛନ୍ତି। ଚିକିତ୍ସା ଓ ଜରୁରୀ ସେବାକୁ ବାଦ୍‌ ଦେଇ ଅନ୍ୟ ସମସ୍ତ ସେବା, କାର୍ଯ୍ୟାଳୟ, ପ୍ରତିଷ୍ଠାନ, ଦୋକାନବଜାର ବନ୍ଦ ରହିବ ବୋଲି ଆନ୍ଦୋଳନର ମୁଖ୍ୟ ସଂଯୋଜକ ଅସିଫ୍‌ ମହମ୍ମଦ ସୋସିଆଲ ମିଡିଆ ପୋଷ୍ଟରେ ଘୋଷଣା କରିଛନ୍ତି। ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର ଏଥିରେ ଭାଗନେବା ସହ ସେମାନଙ୍କ ଅଭିଭାବକମାନଙ୍କ ସମର୍ଥନ ମଧ୍ୟ ଲୋଡ଼ାଯାଇଛି।

ସରକାରୀ ଚାକିରିରେ ସଂରକ୍ଷଣକୁ ଉଚ୍ଛେଦ କରି ମେଧାବୀ ଛାତ୍ରୀଛାତ୍ରଙ୍କୁ ଉପଯୁକ୍ତ ସୁଯୋଗ ପ୍ରଦାନ ଦାବିରେ ସୋମବାର ରାସ୍ତାକୁ ଓହ୍ଲାଇଥିଲେ। ସେମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଚଳାଇଥିବାବେଳେ ପୋଲିସ ସମର୍ଥନରେ ଶାସକ ଆଓ୍ବାମି ଲିଗ୍‌ର ଛାତ୍ର ସାମ୍ମୁଖ୍ୟ ବାଂଲାଦେଶ ଛାତ୍ର ଲିଗ୍‌ ସଦସ୍ୟମାନେ ବିକ୍ଷୋଭକାରୀଙ୍କୁ ଆକ୍ରମଣ କରିଥିଲେ। ଫଳରେ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିଲା। ମୁଖ୍ୟ ୪ ସହର କେନ୍ଦ୍ରୀୟ ଢାକା, ରାଜସାହି, ଖୁଲ୍‌ନା ଏବଂ ଚଟ୍ଟୋଗ୍ରାମର ରାଜପଥ ଏବଂ ରେଳପଥକୁ ବିକ୍ଷୋଭକାରୀମାନେ ଅବରୋଧ କରିଥିଲେ। ପୋଲିସ ସେମାନଙ୍କୁ ଘଉଡ଼ାଇବା ପାଇଁ ଲୁହବୁହା ବାଷ୍ପ ପ୍ରୟୋଗ କରିବା ସହ ରବର ବୁଲେଟ୍‌ ମାଡ଼ କରିଥିଲା। ମଙ୍ଗଳବାର ସ୍ଥିତି ଅଣାୟତ ହେଉଥିବା ଦେଖି ସରକାର ଅର୍ଦ୍ଧସାମରିକ ବର୍ଡର ଗାର୍ଡ ବାଂଲାଦେଶକୁ ୪ ସହରରେ ମୁତୟନ କରିଥିଲେ। ସୁରକ୍ଷା ବଳ ଏବଂ ୟୁନିଭର୍ସିଟି ଛାତ୍ରୀଛାତ୍ରଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ୬ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଥିଲା। ଗତ ଜାନୁଆରୀରେ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ସରକାର ଚତୁର୍ଥ ପାଳି ଆରମ୍ଭ କରିବା ପରେ ବାଂଲାଦେଶରେ ଏହା ହେଉଛି ପ୍ରଥମ ବୃହତ୍‌ ସରକାର ବିରୋଧୀ ଆନ୍ଦୋଳନ।

Share