Categories: ଜାତୀୟ

ପରେଡ୍‌ରେ ସାମିଲ ହେବେ ବାଂଲାଦେଶ ସୈନ୍ୟ

ନୂଆଦିଲ୍ଲୀ, ୨୫।୧ : ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ରାଜପଥରେ ହେବାକୁ ଥିବା ପରେଡ୍‌ରେ ଭାରତୀୟ ଯବାନଙ୍କ ସହ ପ୍ରଥମ ଥର ପାଇଁ ୧୨୨ ବାଂଲାଦେଶୀ ସୈନ୍ୟ ସାମିଲ ହେବେ। ସେମାନଙ୍କ ଦେଶକୁ ସ୍ବାଧୀନ କରାଇବାରେ ଭାରତୀୟ ସେନା ଯବାନମାନଙ୍କ ବଳିଦାନ ପ୍ରତି କୃତଜ୍ଞତା ଓ ସମ୍ମାନ ଜଣାଇବାକୁ ପରେଡ୍‌ରେ ସାମିଲ ହେଉଥିବା ବାଂଲାଦେଶ ସେନା କଲୋନେଲ୍‌ ମୋହତାଶିମ୍‌ ହାଇଦର ଚୌଧୁରୀ କହିଛନ୍ତି। ଭାରତରେ ପହଞ୍ଚତ୍ଥିବା ବାଂଲାଦେଶୀ ସୈନ୍ୟମାନେ ଶନିବାର ପୂରାଦିନ ଅଭ୍ୟାସ କରିଥିଲେ। ଭାରତର ୭୨ତମ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଭାଗନେବା ଆମ ପାଇଁ ଗର୍ବର ବିଷୟ ବୋଲି ଚୌଧୁରୀ କହିଛନ୍ତି। ବାଂଲାଦେଶ ସ୍ବାଧୀନତାର ୫୦ତମ ବର୍ଷ ତଥା ଏହାର ରାଷ୍ଟ୍ର ଜନକ ବଙ୍ଗବନ୍ଧୁ ଶେଖ ମୁଜିବୁର ରହମନଙ୍କ ଜନ୍ମ ଶତବାର୍ଷିକୀ ପାଳନ କରୁଥିବାବେଳେ ବନ୍ଧୁରାଷ୍ଟ୍ରର ସାଧାରଣତନ୍ତ୍ର ଦିବସରେ ସାମିଲ ହେବାର ସୁଯୋଗ ମିଳିବା ଭାଗ୍ୟର କଥା। ପରେଡ୍‌ରେ ଯୋଗଦେବାକୁ ଆସିଥିବା ଯବାନମାନେ ୧୯୭୧ ସ୍ବାଧୀନତା ଲଢ଼େଇ ବେଳେ ସୃଷ୍ଟି ହୋଇଥିବା ବାଂଲାଦେଶ ସେନା ୟୁନିଟ୍‌ର ଯବାନ ବୋଲି କଲୋନେଲ୍‌ ଚୌଧୁରୀ କହିଛନ୍ତି।

Share