ବାଂଲାଦେଶ ରାଜନୀତି ପୁଣି ହେଲା ସରଗରମ

ଢାକା,୧୦।୧୧: ଶେଖ ହସିନା ଗାଦିଚ୍ୟୁତ ହେବା ପରେ ଏବଂ ନୋବେଲ ଶାନ୍ତି ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ପରେ ବାଂଲାଦେଶରେ କ୍ରମାଗତ ଭାପେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ଶେଖ ହସିନାଙ୍କୁ କ୍ଷମତାରୁ ହଟାଇବାର ତିନି ମାସ ବିତିଗଲାଣି, ଯେତେବେଳେ ରବିବାର ତାଙ୍କ ପାର୍ଟି ଆୱାମୀ ଲିଗ ଫେସବୁକ ପୋଷ୍ଟରେ ଗୁଲିସ୍ତାନ ଅଞ୍ଚଳରେ ଏକ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଥିଲେ। ଏହା ଦେଖି ୟୁନୁସ ସରକାର ସେନାଙ୍କୁ ରାଜ ରାସ୍ତାକୁ ଆଣି ଫ୍ଲାଗ ମାର୍ଚ୍ଚ କରିଥିଲେ। ସମଗ୍ର ଅଞ୍ଚଳରେ ସୁରକ୍ଷା ବାହିନୀ ନିୟୋଜିତ କରାଯାଇଥିଲା। ୱାଟର କାନନ ଏବଂ ସଶସ୍ତ୍ର ସେନା ଯାନଗୁଡିକ ଜିରୋ ପଏଣ୍ଟରେ ଷ୍ଟାଣ୍ଡବାଇରେ ରଖାଯାଇଥିଲା।
ଅପରାହ୍ନ ୧ଟା ପର୍ଯ୍ୟନ୍ତ ପାଲଟାନ, ଜିରୋ ପଏଣ୍ଟ କିମ୍ବା ଗୁଲିସ୍ତାନ ଅଞ୍ଚଳରେ କୌଣସି ଆୱାମୀ ଲିଗ କର୍ମୀଙ୍କୁ ଦେଖାଯାଇ ନଥିଲା। ଏଥି ସହିତ, ବିରୋଧ ପୂର୍ବରୁ ପୋଲିସ ଆୱାମୀ ଲିଗ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଏବଂ ଏହାର ଶହ ଶହ କର୍ମୀଙ୍କୁ ଗିରଫ କରିଥିଲା। ତେବେ ରାଜନୈତିକ ଗୋଷ୍ଠୀମାନେ ସମୟ ସମୟରେ ଏଠାକୁ ଆସୁଛନ୍ତି ଏବଂ ନିଜର ଆଭିମୁଖ୍ୟ ପ୍ରକାଶ କରିବାକୁ ସ୍ଲୋଗାନ ଦେଉଛନ୍ତି।
ଏଥି ସହିତ ‘କାଫେଲା ଅଫ ଜୁଲାଇ’ ନାମକ ଏକ ସଂଗଠନ ଶେଖ ହସିନାଙ୍କୁ ଆକ୍ରମଣ କରିଛି। ସଂଗଠନର ନେତା ଆରିଫ ରାବାନୀ କହିଛନ୍ତି, ଫାସିବାଦୀଙ୍କ ସହଯୋଗୀମାନେ ବିଦେଶରୁ ଷଡଯନ୍ତ୍ର କରୁଛନ୍ତି। ଦେଶକୁ ଅସ୍ଥିର କରିବା ପାଇଁ ସେମାନେ ଏବେ ବି ହତାଶ ଉଦ୍ୟମ କରୁଛନ୍ତି। ଅତୀତର ହତ୍ୟାକାଣ୍ଡ ପାଇଁ ଅନୁତାପ କରିବା ପରିବର୍ତ୍ତେ ସେମାନେ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । ବାଂଲାଦେଶୀ ଲୋକଙ୍କ ଦୃଷ୍ଟିରେ ଆୱାମୀ ଲିଗ ଏକ ଘୃଣ୍ୟ ପାର୍ଟି। ତାଙ୍କର ଲଜ୍ଜା ନାହିଁ। ଆଜି ତାଙ୍କ ଘୋଷିତ କାର୍ଯ୍ୟକ୍ରମ ବିଫଳ ହେବ।

Share