Categories: ଜାତୀୟ

ଓଡ଼ିଶାରେ ପଶିଛନ୍ତି ବାଂଲାଦେଶୀ ଆତଙ୍କବାଦୀ

ନୂଆଦିଲ୍ଲୀ, ୧୪ା୭: ବାଂଲାଦେଶର ୧୫ ଆତଙ୍କବାଦୀ ଭାରତକୁ ଅନୁପ୍ରବେଶ କରିଛନ୍ତି। ପଶ୍ଚିମବଙ୍ଗ ସୀମା ଦେଇ ଆସିବା ପରେ ସେମାନଙ୍କ ମଧ୍ୟରୁ ୧୦ ଜଣ ଓଡ଼ିଶା, ବିହାର ଓ ଜମ୍ମୁ-କଶ୍ମୀରରେ ରହିଛନ୍ତି। କୋଲକାତା ପୋଲିସ ସ୍ପେଶାଲ ଟାସ୍କଫୋର୍ସର ଜଣେ ଅଧିକାରୀ ସୋମବାର ଏହି ସୂଚନା ଦେଇଛନ୍ତି। ଅନ୍ୟ ୫ ଜଣ ପଶ୍ଚିମବଙ୍ଗରେ ଥିବାବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ କୋଲକାତାର ହରିଦେବପୁର ଅଞ୍ଚଳରେ ଗିରଫ କରାଯାଇଛି। ସେମାନେ ହେଲେ ନାଜିଉର୍‌ ରହମନ, ରବିଉଲ୍‌ ଇସ୍‌ଲାମ ଓ ସବିର।
ସୂଚନା ଅନୁଯାୟୀ, ପଡ଼ୋଶୀ ଦେଶରେ ସକ୍ରିୟ ଥିବା ଜମ୍ମାତ୍‌-ଉଲ୍‌-ମୁଜାହିଦ୍ଦିନ ବାଂଲାଦେଶ(ଜେଏମ୍‌ବି) ଆତଙ୍କବାଦୀମାନେ ଚଳିତ ବର୍ଷ ଭାରତରେ ଅନୁପ୍ରବେଶ କରିଛନ୍ତି। କୋଲକାତାରୁ ଗିରଫ ହୋଇଥିବା ୩ ସନ୍ଦିଗ୍ଧଙ୍କୁ ଜେରାବେଳେ ଏହି ବିଷୟରେ ଜଣାପଡ଼ିଛି। ୧୦ ଜେଏମ୍‌ବି ଆତଙ୍କବାଦୀ ଓଡ଼ିଶା, ବିହାର ଓ ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ କରିଥିଲେ। ତେବେ କୋଲକାତାରେ ଥିବା ଶେକ୍‌ ସକିଲ୍‌ ଓ ସଲିମ୍‌ ମୁନ୍‌ସୀଙ୍କୁ ଧରିବା ପାଇଁ ଏସ୍‌ଟିଏଫ୍‌ ତନାଘନା ଚଳାଇଛି। ସକିଲ୍‌ ଗିରଫ ୩ ଆତଙ୍କବାଦୀଙ୍କୁ ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥିଲେ। ସେମାନେ ଉକ୍ତ ଜାଲ୍‌ ଆଧାରକାର୍ଡ ବଳରେ ହରିଦେବପୁରରେ ୨ଟି ଭଡ଼ାଘର ପାଇଥିଲେ। ଏହି ୩ ଜଣ ଜେଏମ୍‌ବି ଆତଙ୍କବାଦୀ ଅଲ୍‌ ଅମୀନଙ୍କ ନିର୍ଦ୍ଦେଶ କ୍ରମେ ଅନୁପ୍ରବେଶ କରିଥିଲେ। ଏଠାକୁ ଆସିବା ପରେ ସେମାନେ ଫଳ ଓ ମଶାରି ବିକ୍ରି କରି ଚଳୁଥିଲେ।
କୋଲକାତା ଏସ୍‌ଟିଏଫ୍‌ ଉପରୋକ୍ତ ୩ ଜଣଙ୍କ ସମ୍ପର୍କରେ ଅଧିକ ତଥ୍ୟ ହାସଲ ଲାଗି ବାଂଲାଦେଶ ପୋଲିସ ସହ ଯୋଗାଯୋଗ କରିଛି। ସେମାନେ ରହୁଥିବା ଭଡ଼ାଘର ମାଲିକଙ୍କୁ ପଚରାଉଚରା ପାଇଁ ଥାନାରେ ଅଟକ ରଖାଯାଇଛି ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ମଧ୍ୟ ୩ ଜେଏମ୍‌ବି ଅପରେଟିଭ୍‌ଙ୍କ ସମ୍ପର୍କରେ ତଥ୍ୟ ଯୋଗାଡ଼ ଆରମ୍ଭ କରିଛି। ବାଂଲାଦେଶରେ ନିଷିଦ୍ଧ ଘୋଷିତ ଉକ୍ତ ଆତଙ୍କବାଦୀ ସଙ୍ଗଠନର ଏହି ୩ ସନ୍ଦିଗ୍ଧ ସଦସ୍ୟଙ୍କୁ ଇତିମଧ୍ୟରେ କୋଲକାତାସ୍ଥିତ ଏକ କୋର୍ଟରେ ହାଜର କରି ପୋଲିସ ୧୪ ଦିନିଆ ରିମାଣ୍ଡରେ ନେଇଛି। ସନ୍ଦିଗ୍ଧଙ୍କ ନିକଟରୁ ଜେହାଦୀ ସାମଗ୍ରୀ, ଜେଏମ୍‌ବିର ବଡ଼ ଆତଙ୍କବାଦୀମାନଙ୍କ ସମ୍ପର୍କରେ ତାଲିକା ଓ ଅନ୍ୟ କେତେକ ଆପତ୍ତିଜନକ ଦସ୍ତାବିଜ୍‌ ଜବତ ହୋଇଛି। ପ୍ରକାଶ ଯେ, ଗତ କିଛି ବର୍ଷ ହେଲା ପଶ୍ଚିମବଙ୍ଗରୁ ଅନେକ ଜେଏମ୍‌ବି ଅପରେଟିଭ୍‌ ଗିରଫ ହେଲେଣି। ୨୦୧୬ରେ ଢାକାର ଏକ ନାମକରା କାଫେରେ ଜେଏମ୍‌ବି ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏଥିରେ ୧୭ ବିଦେଶୀଙ୍କ ସମେତ ୨୨ ନିହତ ହୋଇଥିଲେ। ଏହି ଆତଙ୍କବାଦୀ ସଙ୍ଗଠନ ଭାରତରେ ସ୍ଥିତି ମଜଭୁତ ପାଇଁ ଉଦ୍ୟମ ଚଳାଇଥିବା ୨ ବର୍ଷ ତଳେ ଜଣେ ଏନ୍‌ଆଇଏ ଅଧିକାରୀ କହିଥିଲେ।

Share