ଜେଲରେ ବାଂଲାଦେଶୀ ଲେଖକଙ୍କ ମୃତ୍ୟୁ

ଢାକା, ୨୮।୨: ସୋସିଆଲ ମିଡିଆ ପୋଷ୍ଟ ପାଇଁ ବର୍ଷେ ହେଲା ଜେଲରେ ଥିବା ବାଂଲାଦେଶୀ ଲେଖକ ମୁସ୍ତାକ ଅହମଦଙ୍କର ମୃତ୍ୟୁ ହୋଇଛି। ମହାମାରୀ ପରିଚାଳନାରେ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ବିଫଳତା ଓ ଦୁର୍ନୀତି ଅଭିଯୋଗ କରି କେତେଜଣ ସୋସିଆଲ ମିଡିଆରେ ସମାଲୋଚନା କରିବା ସହ ବ୍ୟଙ୍ଗଚିତ୍ର ପୋଷ୍ଟ କରିଥିଲେ। ଏଥିପାଇଁ ମୁସ୍ତାକଙ୍କ ସମେତ ୧୧ ଜଣଙ୍କୁ ଗତବର୍ଷ ଜେଲ ପଠାଯାଇଥିଲା। ମୁସ୍ତାକଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଭିନ୍ନ ମତବାଦୀଙ୍କ ଉପରେ ସରକାରଙ୍କ ଦମନଲୀଳା ବିରୋଧରେ ସ୍ବର ଉଠିଛି। ବାଂଲାଦେଶ ଡିଜିଟାଲ ସିକ୍ୟୁରିଟି ଆକ୍ଟ ଅନୁଯାୟୀ ଦେଶର ଏକତା, ଆର୍ଥତ୍କ କାର୍ଯ୍ୟ, ସୁରକ୍ଷ, ପ୍ରତିରକ୍ଷା, ଧର୍ମୀୟ ମୂଲ୍ୟବୋଧର ଉଲ୍ଲଂଘନ ଓ ବିଶୃଙ୍ଖଳା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସରକାର ଦଣ୍ଡିତ କରିପାରିବେ। ଭିନ୍ନ ମତବାଦୀଙ୍କ ମୁହଁ ବନ୍ଦ କରିବା ପାଇଁ ଏହି ଆଇନକୁ ବ୍ୟବହାର କରାଯାଉଛି। ହାସିନା ସରକାରଙ୍କୁ ସମାଲୋଚନା କରିଥିବା ଖବରଦାତା, ଛାତ୍ରୀଛାତ୍ର ଓ ରାଜନୈତିକ କର୍ମୀଙ୍କ ସମେତ ୧୩୮ ଜଣଙ୍କୁ ଗତବର୍ଷ ଗିରଫ କରାଯାଇଥିଲା ।

Share