ଅନ୍ୟକୁ ରୋଜଗାର ଦେଇଛନ୍ତି ବନିତା

ଏମ୍‌ଭି୭୯,୬ା୧୨(ଡି.ଏନ.ଏ.): ଇଚ୍ଛା ଓ ଆଗ୍ରହ ଥିଲେ ଜଣେ ଯେକୌଣସି ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିପାରେ। ତା’ର ସଫଳତାକୁ କୌଣସି ପ୍ରତିବନ୍ଧକ ରୋକିପାରେ ନାହିଁ। ମାଲକାନଗିରି ଜିଲା ପରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଜଣେ ଝିଅ ନିଜ ଆଗ୍ରହ ଓ ନିଷ୍ଠା ବଳରେ ନିଜ ବାପାଙ୍କ ଶେଷ ଇଚ୍ଛା ପୂରଣ କରିପାରିଛନ୍ତି। ବାପାଙ୍କ ଇଚ୍ଛା ଥିଲା ଝିଅ ସିଲେଇ କେନ୍ଦ୍ର ଖୋଲୁ। ସେଥିରେ ତା’ ପରି ଆଉ କେତେଜଣ ଝିଅ କାମ କରନ୍ତୁ। ବାପା ଉତ୍ତମ ମଣ୍ତଳଙ୍କ ଏହି ଇଚ୍ଛାକୁ ବାପାଙ୍କ ମୃତ୍ୟୁ ପରେ ହେଲେ ମଧ୍ୟ ସାକାର କରିପାରିଛନ୍ତି ବନିତା। କାଲିମେଳା ବ୍ଲକ ନାଲାଗୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ଏମ୍‌ଭି – ୭୨ ଗ୍ରାମର ଉତ୍ତମଙ୍କ ଝିଅ ବନିତା ମଣ୍ଡଳ (୨୩)। ବାପାଙ୍କ ଇଚ୍ଛା ଥିଲା ଝିଅ ସ୍ବାବଲମ୍ବୀ ହେଉ। ସେଥିପାଇଁ ସିଲେଇ ଶିକ୍ଷା ଅନୁଷ୍ଠାନଟିଏ ଖୋଲିବାକୁ ସେ ବନିତାଙ୍କୁ ପରାମର୍ଶ ଦେଇଥିଲେ। ବିଭିନ୍ନ ପ୍ରତିକୂଳ ପରିବେଶ ଯୋଗୁ ସେ ବାପାଙ୍କ ଜୀବିତାବସ୍ଥାରେ ସିଲେଇ ଶିକ୍ଷାକେନ୍ଦ୍ରଟିଏ ଖୋଲିପାରି ନ ଥିଲେ। ତେବେ ବାପାଙ୍କ ମୃତ୍ୟୁର ୨ବର୍ଷ ପରେ ବନିତା ତାଙ୍କ ସ୍ମୃତିରେ ନିଜ ଉଦ୍ୟମରେ ଆରମ୍ଭ କରିଛନ୍ତି ଉତ୍ତମ ସିଲେଇ କେନ୍ଦ୍ର। ଏଥିପାଇଁ ସେ ୨୫ହଜାର ଟଙ୍କା ଋଣ ଆଣି ଗୋଟିଏ ସିଲେଇ ମେଶିନରୁ ଏହି କେନ୍ଦ୍ର ଆରମ୍ଭ କରିଥିଲେ । ବର୍ତ୍ତମାନ ୩ଟି ସିଲେଇ ମେଶିନ ରଖି ନିଜ ଅନୁଷ୍ଠାନକୁ ବଢ଼ାଇବା ସହ ଗ୍ରାମର ୩ଜଣ ଯୁବତୀ ଉନ୍ନତି ସରଦାର, ଶତାବ୍ଦୀ ରାୟ ଓ ମଧୁ ବିଶ୍ୱାସଙ୍କୁ ତାଲିମ ଦେଇ ସ୍ବାବଲମ୍ବୀ କରୁଛନ୍ତି। ସେମାନେ ପ୍ରତ୍ୟହ ସିଲେଇ କେନ୍ଦ୍ରକୁ ଆସି ଶିକ୍ଷା ଗ୍ରହଣ କରୁଥିବା କହନ୍ତି ବନିତା। ବାପାଙ୍କ ମୃତ୍ୟୁ ପରେ ମାଆ ଗୌରୀ ଦୁଇ ଝିଅ ଓ ଗୋଟିଏ ପୁଅକୁ କିପରି ଚଳାଇ ମଣିଷ କରିବେ ଏଇ ଚିନ୍ତାରେ ଭାଙ୍ଗିପଡ଼ିଥିଲେ। ଏହି ସମୟରେ ବାପାଙ୍କ କଥା ମନେପକାଇ ପରିବାର ପାଇଁ ଅଣ୍ଟା ଭିଡ଼ିଥିଲେ ବନିତା। ମାଲକାନଗିରି ଯାଇ ସିଲେଇ ଶିକ୍ଷା ଗ୍ରହଣ କରି ଷ୍ଟେଟବ୍ୟାଙ୍କରୁ ଋଣ ଆଣି ଆରମ୍ଭ କରିଥିଲେ ଏହି ଅନୁଷ୍ଠାନ। ଏବେ ସେ ସିଲେଇରୁ ୧୦ହଜାର ଟଙ୍କାରୁ ଊର୍ଦ୍ଧ୍ୱ ରୋଜଗାର କରି ପରିବାର ଚଳାଇବା ସହ ଅନ୍ୟ ପାଇଁ ଉଦାହରଣ ପାଲଟିଛନ୍ତି।

Share