ବ୍ୟାଙ୍କ ଋଣ ଶୁଝି ନ ପାରିବାରୁ : ସମ୍ପତ୍ତି ଜବତ

ମୋରଡା,୨୧ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ପଳାସମୁଣ୍ଡୁଳି ପଞ୍ଚାୟତ ଖୁରୁଣ୍ଟିଆ ଗ୍ରାମର ପ୍ରଦୀପ କୁମାର ଗିର ବ୍ୟାଙ୍କ ଋଣ ଶୁଝି ନ ପାରିବାରୁ ତାଙ୍କ ଘର ଏବଂ ଜମିବାଡ଼ିକୁ ବ୍ୟାଙ୍କ କର୍ତ୍ତୃପକ୍ଷ ଜବତ କରିଛନ୍ତି। ମାଜିଷ୍ଟ୍ରେଟ ଓ ପୋଲିସ ଫୋର୍ସ ଉପସ୍ଥିତିରେ ସମ୍ପତ୍ତି ଜବତ ହୋଇଥିବା ବେଳେ ଖୁବ୍‌ ଶୀଘ୍ର ବ୍ୟାଙ୍କ ଏହାକୁ ନିଲାମ କରିବ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ପ୍ରଦୀପ ଏକ ଆଲୁମିନିୟମ କାରଖାନା ସ୍ଥାପନ ଏବଂ ବେପାର ନିମନ୍ତେ ହୀରାକୁଦ ଶାଖାର ଏକ ବ୍ୟାଙ୍କରୁ ୫୦ ଲକ୍ଷ ଟଙ୍କାର ଋଣ ଆଣିଥିଲେ। ତେବେ ଋଣ ଟଙ୍କା ନ ଶୁଝିବାରୁ ମୂଳ ଓ ସୁଧ ମିଶି ତାଙ୍କ ଉପରେ ମୋଟ ୭୦ ଲକ୍ଷ ଟଙ୍କା ହୋଇଥିଲା l ବାରମ୍ବାର ବ୍ୟାଙ୍କ ନୋଟିସ ପରେ ସେ ଋଣ ଶୁଝୁ ନ ଥିଲେ। ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ଆଇନଗତ ପଦକ୍ଷେପ ଗ୍ରହଣ କରିଥିଲେ। କୋର୍ଟ ନିର୍ଦ୍ଦେଶ ମୁତାବକ ସୋମବାର ମୋରଡା ତହସିଲଦାର ଅନନ୍ତ କୁମାର ହାଁସଦାଙ୍କ ତତ୍ତ୍ୱାବଧାନରେ ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରଦୀପଙ୍କ ଘର ସହିତ ଆଲୁମିନିୟମ କାରଖାନା କରିଥିବା ୨ ଏକର ୭୬ ଡେସିମିଲ ଜାଗାକୁ ଜବତ କରଛନ୍ତି।

Share