ଭୁବନେଶ୍ୱର,୬ା୩(ସୂର୍ଯ୍ୟକାନ୍ତ ବେହେରା): ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖି ପ୍ରତାରଣା କରିବା ଅଭିଯୋଗରେ ଇନ୍ଫୋସିଟି ପୋଲିସ ଜଣେ ଯୁବକଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ଚନ୍ଦ୍ରଶେଖରପୁରରେ ରହୁଥିବା ତାଳଚେର ସଦର ଥାନା ଅଞ୍ଚଳର ସୁମନ୍ତ କୁମାର ଆଚାର୍ଯ୍ୟ(୨୫)। ଜାମିନ ନ ମିଳିବାରୁ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସୂଚନାଯୋଗ୍ୟ ଅଭିଯୁକ୍ତ ଜଣକ ଏକ ବେସରକାରୀ ବ୍ୟାଙ୍କରେ କାର୍ଯ୍ୟ କରୁଥିବାବେଳେ, ପୀଡ଼ିତାଙ୍କ ଦୂର ସମ୍ପର୍କୀୟ ଅଟନ୍ତି। ୨୦୨୨ ଜୁନ ମାସରେ ପୀଡ଼ିତା ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ଏବଂ ସେହି ଦିନଠାରୁ ଉଭୟ ମୋବାଇଲ ଏବଂ ସାମାଜିକ ଗଣମାଧ୍ୟମ ଜରିଆରେ ପରସ୍ପର ସହ ଯୋଗାଯୋଗରେ ରହିଥିଲେ। ପରେ ଦୁହିଁଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା ଓ ଅଭିଯୁକ୍ତ ପୀଡ଼ିତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ତଥା ମିଥ୍ୟା ପ୍ରତିଶ୍ରୁତି ଦେଇ ୨୦୨୩ ଅଗଷ୍ଟରେ ପ୍ରଥମ କରି ଶିଶୁବିହାରର ଏକ ଭଡ଼ା ଘରେ ତାଙ୍କ ଇଛା ବିରୋଧରେ ତାଙ୍କ ସହିତ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲେ। ପରବର୍ତ୍ତୀ ସମୟରେ ପୀଡ଼ିତା ବିବାହ ବିଷୟରେ କହିବାରୁ ଅଭିଯୁକ୍ତ ଜଣଙ୍କ ତାଙ୍କ ପ୍ରସ୍ତାବକୁ ଏଡ଼ାଇ ଯାଇଥିଲେ। ଏପରିକି ଅଭିଯୁକ୍ତଙ୍କ ପରିବାର ଲୋକେ ମଧ୍ୟ ପୀଡିତାଙ୍କୁ ଗ୍ରହଣ କରିବାକୁ ମନା କରିଦେଇଥିଲେ। ପରେ ପୀଡ଼ିତା ଥାନାରେ ଦ୍ୱାରସ୍ଥ ହୋଇଥିଲେ।