ଜୋର ଧରିଲା ବ୍ୟାଙ୍କ ପ୍ରତିଷ୍ଠା ଦାବି

ଗଞ୍ଜାମ,୧୮।୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତ ଖଣ୍ଡଦେଉଳୀରେ ଏକ ଷ୍ଟେଟ ବ୍ୟାଙ୍କ ଶାଖା ପ୍ରତିଷ୍ଠା ନେଇ ଦାବି ଜୋର ଧରିଛି l ଏନେଇ ଖଣ୍ଡଦେଉଳୀ ସରପଞ୍ଚ ବୈରାଗୀ ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସୋମବାର ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।

ଖଣ୍ଡଦେଉଳୀ ଗ୍ରାମ ଜିଲାର ଏକ ବୃହତ ଗାଁ ମଧ୍ୟରୁ ଅନ୍ୟତମ । ଗ୍ରାମରେ ପ୍ରାୟ ଦେଢ଼ ହଜାରରୁ ଊର୍ଦ୍ଧ ପରିବାର ବାସ କରୁଥିବା ବେଳେ ଆଖପାଖ ଦୁଇ ପଞ୍ଚାୟତ ଯଥା ପାଳଙ୍ଗ ଓ ପୋଇରାସି ଗ୍ରାମର ଲୋକଙ୍କୁ ବ୍ୟାଙ୍କ ସେବା ପାଇଁ ପ୍ରାୟ ୧୨ରୁ ୧୫ କିଲୋମିଟର ଯିବାକୁ ପଡୁଛି। ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏକ ଏକ ଷ୍ଟେଟ ବ୍ୟାଙ୍କ ଶାଖା ଖୋଳିବାକୁ ଦାବି ପତ୍ରରେ ଦର୍ଶାଯାଇଛି l

ଏପରିକି ଖଣ୍ଡଦେଉଳୀ, ପାଲଙ୍ଗ ଓ ପୋଇରାସି ପଞ୍ଚାୟତରେ ପ୍ରାୟ ୨୦ ହଜାରରୁ ଊଦ୍ଦର୍‌ବ ଲୋକ ବାସ କରୁଥିବା ବେଳେ ଉକ୍ତ ୩ଟି ପଞ୍ଚାୟତରେ ୧୬ଟି ୟୁପି ସ୍କୁଲ, ୩ଟି ଉଚ୍ଚ ବିଦ୍ୟାଳୟ ଓ ଗୋଟିଏ ଏମ୍‌ଇ ସ୍କୁଲ ରହିଛି l ଏହା ଛଡା ଯୁକ୍ତ ଦୁଇ, ଯୁକ୍ତ ତିନି ମହାବିଦ୍ୟାଳୟ, ପୋଷ୍ଟ ଅଫିସ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ପଶୁ ସହାୟକ କେନ୍ଦ୍ର ଖଣ୍ଡଦେଉଳୀ ଗାଁରେ ରହିଛି। ଏପରିକି ଗ୍ରାମର ଶତାଧିକ ବ୍ୟକ୍ତି କୋଇଲା ଖଣି ଶ୍ରମିକ, ପଥର କ୍ରସର ୟୁନିଟରେ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। ଏଣୁ ଖଣ୍ଡଦେଉଳୀ ଗ୍ରାମରେ ଏକ ଷ୍ଟେଟ ବ୍ୟାଙ୍କ ଶାଖା ପ୍ରତିଷ୍ଠାର ଆବଶ୍ୟକତା ରହିଛି ବୋଲି ସରପଞ୍ଚ ବୈରାଗୀ ବେହେରା ଦାବି କରିଛନ୍ତି l

ଖଣ୍ଡଦେଉଳୀ ଏକ ସଂଯୋଗୀ ପଞ୍ଚାୟତ ହୋଇଥିବାରୁ ପାଲଙ୍ଗ ଓ ପୋଇରାଶି, କମଣ୍ଡ ଆଦି ପଞ୍ଚାୟତର ଲୋକମାନେ ବିଭିନ୍ନ ବ୍ୟବସାୟ ପାଇଁ ଖଣ୍ଡଦେଉଳୀ ଉପରେ ନିର୍ଭର କରିଥାନ୍ତି। କିନ୍ତୁ ବ୍ୟାଙ୍କ ଶାଖା ନ ଥିବାରୁ କ୍ଷୁଦ୍ର ଉଦ୍ୟୋଗୀ ନିରୁତ୍ସାହିତ ହେଉଛନ୍ତି ବୋଲି ସେ କହିଛନ୍ତି l ଦାବି ପତ୍ର ଦେବା ବେଳେ ସରପଞ୍ଚ ବେହେରାଙ୍କ ସମେତ ଗ୍ରାମର ଅଜୟ ଗୌଡ଼, ସନ୍ତୋଷ କୁମାର ଗୌଡ଼, କୃଷ୍ଣଚନ୍ଦ୍ର ସାହୁ, ରାମଚନ୍ଦ୍ର ନାୟକ, ଖଲି ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।