Categories: ଜାତୀୟ

ଛେଳି ବ୍ୟାଙ୍କ, ଜାଣନ୍ତୁ କେମିତି ହୁଏ ଏହାର ପରିଚାଳନା

ମୁମ୍ବାଇ,୩।୨: ଛେଳିମାନଙ୍କର ବ୍ୟାଙ୍କ ଶୁଣିଲେ ନିଶ୍ଚିତ ଅଡୁଆ ଲାଗେ। କିନ୍ତୁ ଏପରି ଏକ ବ୍ୟାଙ୍କ ରହିଛି ମହାରାଷ୍ଟ୍ରରେ। ଏହି ବ୍ୟାଙ୍କକୁ ମହାରାଷ୍ଟ୍ରର ଅକୋଲା ଜିଲାରେ ଜଣେ କୃଷକ ଖୋଲିଛନ୍ତି। ଏହାର ପରିଚାଳନା ସାଂଘଭୀ ମୋହାଲି ଗାଁରୁ କରାଯାଉଛି। ଏହି ବ୍ୟାଙ୍କର ନାମ ’ଗୋଟ୍‌ ବ୍ୟାଙ୍କ ଅଫ୍‌ କରଖେଡା’।

୫୨ ବର୍ଷୀୟ ନରେଶ ଦେଶମୁଖ ଏପରି ସ୍ବତନ୍ତ୍ର ଛେଳି ବ୍ୟାଙ୍କ ଦୁଇବର୍ଷ ତଳେ ଖୋଲିଥିଲେ। ଏବେ ଏହି ବ୍ୟାଙ୍କରେ ୧୨୦୦ରୁ ଅଧିକ ଜମାକାରୀ ଅଛନ୍ତି। ୧୨୦୦ ଟଙ୍କାର ଅଗ୍ରୀମ ଋଣ ଆକାରରେ ଗର୍ଭବତୀ ଛେଳି ମିଳିଥାଏ। ଋଣ ଚୁକ୍ତି ଅନୁଯାୟୀ ପୁଣି ୪୦ ମାସ ପରେ ୪ ଛୁଆ ସହ ଛେଳିକୁ ଫେରାଇବାକୁ ପଡ଼ିଥାଏ। ନରେଶ କୁହନ୍ତି, ଛେଳି ପାଳନ ପାଇଁ ତାଙ୍କର ଆଗ୍ରହ ଥିଲା। ତେଣୁ ସେ ଏପରି ବ୍ୟାଙ୍କ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। ଏଥିନିମନ୍ତେ ଧାରଣା ତାଙ୍କ ପରିବାରଠାରୁ ପାଇଥିଲେ। ପ୍ରଥମେ ନିଜେ ଛେଳି ପାଳନ କରୁଥିଲେ। ଏହି ଛେଳିପାଳନରୁ ତାଙ୍କର ବେଶ୍‌ ଆର୍ଥିକ ରୋଜଗାର ହେଲା। ପରିବାର ଚଳାଇବା ସହ ଦୁଇ ପିଲାଙ୍କୁ ପାଠ ପଢ଼ାଇ ବାହା ମଧ୍ୟ କରାଇଛନ୍ତି। ଏଥିରୁ ଲାଭ ହେଉଥିବାରୁ ସେ ଛେଳି ବ୍ୟାଙ୍କ ଖୋଲିବାକୁ ମନସ୍ଥ କଲେ।
୨୦୧୮ ଜୁଲାଇ ୪ରେ ସେ ୪୦ ଲକ୍ଷ ଟଙ୍କା ଏଥିରେ ବିନିଯୋଗ କରିଥିଲେ। ପ୍ରଥମେ ସେ ୩୪୦ ଛେଳି କିଣିଥିଲେ। ୩୪୦ ଶ୍ରମିକଙ୍କୁ ନିଯୁକ୍ତି ଦେଇଥିଲେ। ସେ ପ୍ରତ୍ୟେକ ମହିଳାଙ୍କୁ ସେ ୧୧୦୦ ଟଙ୍କାରେ ଗର୍ଭବତୀ ଛେଳି ଋଣ ଆକାରରେ ଦେଉଥିଲେ। ସର୍ତ୍ତ ରଖିଥିଲେ ୪୦ ମାସ ପରେ ୪ ଛୁଆଙ୍କ ସହ ଛେଳ ଫେରାଇବାକୁ। ୪୦ ମାସରେ ତାଙ୍କ ପାଖକୁ ପ୍ରାୟ ୩୦ ଛେଳିଛୁଆ ଆସୁଥିଲେ। ତାଙ୍କର ମାସକୁ ଅଢ଼େଇ ଲକ୍ଷରୁ ଅଧିକ ଲାଭ ହେଲା। ସେ କୁହନ୍ତି, ଏପରି ବ୍ୟାଙ୍କ ଯୋଗୁ ମହିଳାମାନଙ୍କର ଆର୍ଥିକ ବିକାଶ ହୋଇପାରିଛି।

 

Share