ବ୍ୟାଙ୍କ ଲୁଟ୍‌ ଫସରଫାଟିଲା

କେନ୍ଦୁଝର,୫।୭(ସ୍ବ.ପ୍ର): କେନ୍ଦୁଝର ଜିଲା ସଦର ଥାନା ଅଧୀନ ଶୁଆକାଟି ସ୍ଥିତ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରୁ ଗତ ୨ ତାରିଖ ରାତିରେ କେତେଜଣ ଦୁର୍ବୃତ୍ତ ଲୁଟ୍‌ ଉଦ୍ୟମ କରିଥିଲେ। ଦୁର୍ବୃତ୍ତମାନେ ବ୍ୟାଙ୍କ କାନ୍ଥ ଖୋଳି ଭିତରେ ପଶିଥିଲେ। ହେଲେ ଟଙ୍କା ନେବାରେ ସଫଳ ହୋଇ ନ ଥିଲେ। ଏନେଇ ବ୍ୟାଙ୍କ ପକ୍ଷରୁ ଶୁଆକାଟି ଫାଣ୍ଡିରେ ଏକ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ପୋଲିସ ସିସିଟିଭି ଫୁଟେଜ୍‌ ଆଧାରରେ ତଦନ୍ତ ଆରମ୍ଭ କରିଥିଲା। ଫାଣ୍ଡି ଅଧିକାରୀ ତ୍ରିନାଥ ନାୟକ, କନଷ୍ଟେବଳ ସୁକୁମାର ସାହୁ ଚଢାଉ କରି କାଞ୍ଜିପାଣି ନିକଟ ଜଙ୍ଗଲରୁ ଏହି ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲେ। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ମାନସ ବାରିକ ଏବଂ ହଜୁରିଆ ଦେହୁରୀ। ଘର ସଦର ଥାନା ଅଞ୍ଚଳରେ। ପୋଲିସ ଗିରଫ ଅଭିଯୁକ୍ତ ଦ୍ୱୟଙ୍କୁ ସୋମବାର କୋର୍ଟ ଚାଲାଣ କରିଛି।

Share