ଭୁଶୁଡି ପଡ଼ିଲା ବ୍ୟାଙ୍କ ଛାତ

ସମ୍ବଲପୁର,୩୦ା୭( ଶୁଭାଶିଷ ପାଢ଼ୀ): ସମ୍ବଲପୁର କୁଞ୍ଜେଲପଡ଼ାରେ ବହୁବର୍ଷ ଧରି ଚାଲିଥିବା ସମ୍ବଲପୁର ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କର ସିଟି ଶାଖା କୋଠା ଛାତ ରବିବାର ଭୁଶୁଡ଼ି ପଡିଛି। କିଛି ଦିନ ପୂର୍ବରୁ ପାଣି ଝରୁଥିବା ଯୋଗୁଁ ବ୍ୟାଙ୍କ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଦୁଇ ଦିନ ହେବ ପ୍ରବଳ ବର୍ଷା ହେବାରୁ ଏହି ଘଟଣା ଘଟିଛି। ପୁରୁଣା କୋଠା ହୋଇଥିବାରୁ କାଠ ବିମ୍‌ଗୁଡିକ ଦବି ଯାଇଥିଲା। ଦୁର୍ବଳ ଅବସ୍ଥାରେ ଛାତ ଝୁଲି ରହିଥିଲା। ପୂର୍ବରୁ ଅସରାଏ ବର୍ଷାରେ ଟଙ୍କା ଜମା ଓ ଉଠାଇବା ପାଇଁ ଥିବା କାଉଣ୍ଟରଗୁଡ଼ିକ ଉପରେ ପାଣି ଗଳୁଥିଲା। ତେଣୁ କମ୍ପ୍ୟୁଟର ଓ କାଗଜପତ୍ରକୁ ପଲିଥିନରେ ଘୋଡ଼ାଇ ରଖାଯାଉଥିଲା। ଏନେଇ ଗ୍ରାହକମାନେ ବ୍ୟାଙ୍କ ଅଧିକାରୀମାନଙ୍କୁ ଅଭିଯୋଗ କରିବା ସତ୍ତ୍ୱେ ଘର ପରିବର୍ତ୍ତନ କରାଯାଉ ନ ଥିଲା। ଭଡାରେ ଏହି ଘର ଚାଲୁଥିଲା। ବ୍ୟାଙ୍କରେ ୭ ଜଣ କର୍ମଚାରୀ କାମ କରନ୍ତି। ସବୁବେଳେ ଲୋକଙ୍କ ଭିଡ଼ ଲାଗି ରହିଥାଏ। କିନ୍ତୁ ରବିବାର ଥିବାରୁ ସେଠାରେ କେହି ଉପସ୍ଥିତ ନ ଥିଲେ। ଛାତ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବାରୁ କାଗଜପତ୍ର, ଅନ୍ୟାନ୍ୟ ଜିନିଷ ଚାପି ହୋଇଯାଇଥିବା କୁହାଯାଉଛି।

Share