ନୂଆଦିଲ୍ଲୀ: ୯ ବ୍ୟାଙ୍କ ସଂଘର ସଙ୍ଗଠନ ୟୁନାଇଟେଡ୍ ଫୋରମ ଅଫ୍ ବ୍ୟାଙ୍କ ୟୁନିୟନ୍ସ (ୟୁଏଫ୍ବିୟୁ) ମାର୍ଚ୍ଚ ୧୫ରୁ ୨ ଦିନିଆ ଧର୍ମଘଟ ଡାକରା ଦିଆଯାଇଛି। ନିକଟରେ ଆସିଥିବା ସାଧାରଣ ବଜେଟରେ ୨ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଘରୋଇକରଣ ନେଇ ସରକାର ଘୋଷଣା କରିଛନ୍ତି। ଏହି ପ୍ରସ୍ତାବକୁ ବିରୋଧକରି ସଂଘଗୁଡିକ ଧର୍ମଘଟକୁ ଓହ୍ଲାଉଥିବା ଜଣାପଡିଛି। ସରକାର ବର୍ତ୍ତମାନ ଘରୋଇକରଣ ଯୋଜନାକୁ ଜୋର୍ଦାର କରିଛନ୍ତି। ଏହା ଅନ୍ତର୍ଗତ ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ଅଂଶଧନ ପ୍ରତ୍ୟାହାର ଏବଂ ଘରୋଇକରଣକୁ ତ୍ୱରାନ୍ବିତ କରାଯାଉଛି। ସରକାର ଆଇଡିବିଆଇ ବ୍ୟାଙ୍କକୁ ଘରୋଇକରଣ କରି ଦେଇଛନ୍ତି। ଏହି ବ୍ୟାଙ୍କରେ ରହିଥିବା ସରକାରଙ୍କ ଅଂଶଧନକୁ ଏଲ୍ଆଇସିକୁ ବିକ୍ରି କରାଯାଇଛି। ଗତ ୪ ବର୍ଷରେ ୧୪ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ମିଶ୍ରଣ କରାଯାଇଛି।
ୟୁଏଫ୍ବିୟୁ ପକ୍ଷରୁ ସରକାରଙ୍କ ବ୍ୟାଙ୍କ ଘରୋଇକରଣ ପ୍ରସ୍ତାବକୁ ବିରୋଧ କରାଯିବ ବୋଲି ଅଲ୍ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲଇ ଆସୋସିଏଶନ(ଏଆଇବିଇଏ) ସାଧାରଣ ସମ୍ପାଦକ ସି.ଏଚ୍.ଭେଙ୍କଟଚଳମ କହିଛନ୍ତି। ସଂଘ ପକ୍ଷରୁ ମଙ୍ଗଳବାର ବସିଥିବା ବୈଠକରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଘୋଷଣା ଉପରେ ଆଲୋଚନା କରାଯିବ ସହ ଏହାର ବିରୋଧ କରିବା ନେଇ ନିଷ୍ପତ୍ତି ହୋଇଛି। ଧର୍ମଘଟକୁ ଓହ୍ଲାଉଥିବା ସଂଘ ମଧ୍ୟରେ ଏଆଇବିଇଏ, ଏଆଇବିଓସି, ଏନ୍ସିବିଇ, ଏଆଇବିଓଏ, ବିଇଏଫ୍ଆଇ, ଆଇଏନ୍ବିଇଏଫ୍, ଆଇଏନ୍ବିଓସି, ଏନ୍ଓବିଡବ୍ଲ୍ୟୁ ଏବଂ ଏନ୍ଓବିଓ ରହିଛି।