ମରଣଯନ୍ତା ପାଲଟିଛି ବାଙ୍କୀବାହାଲ-ଭେଡାବାହାଲ କୋଲ କରିଡର ରାସ୍ତା

ସୁନ୍ଦରଗଡ଼,୧୩ା୭(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ହେମଗିର ବ୍ଲକରେ ଏସିଆର ସର୍ବବୃହତ୍ତମ କୋଇଲା ଖଣି ରହିଛି। ବସୁନ୍ଧରା, କୁଲଡା, ଗର୍ଜନ ବାହାଲ ଓ ସିଆରମାଲ କୋଇଲା ଖଣି ଏମ୍‌ସିଏଲ ଦ୍ବାରା ପରିଚାଳିତ। ଏହି ଖଣିରୁ ପ୍ରତ୍ୟେହ ଶହଶହ ଟନ୍‌ କୋଇଲା ଝାରସୁଗୁଡା ସମ୍ବଲପୁର ଓ ପଡୋଶୀ ଛତିଶଗଡ଼ ରାଜ୍ୟର ବିଭିନ୍ନ କଳକାରଖାନା ଗୁଡିକୁ ପରିବହନ ହେଉଛି। ହେମଗିର ବ୍ଲକ ବଲିଙ୍ଗା -ଗୋପାଳପୁରଠାରୁ ଦୈନିକ ଶହ ଶହ କୋଇଲା ବୋଝେଇ ଟ୍ରକ ବିଭିନ୍ନ କଳକାରଖାନାକୁ ଯାଉଛି। ଏହି କୋଇଲା ବୋଝେଇ ଗାଡିଗୁଡିକ ମୁଖ୍ୟ ରାସ୍ତା ଦେଇ ଯାଉଥିବାରୁ ଏହାପାଇଁ ଏକ ସ୍ବତନ୍ତ୍ର କୋଲ କରିଡର ନିର୍ମାଣ ୧୮୪ କୋଟି ଟଙ୍କା ବ୍ୟୟ ଅଟକଳରେ ପୂର୍ତ୍ତବିଭାଗ ଅଧୀନରେ ୨୦୨୦ ନଭେମ୍ବର ୩ରୁ ଆରମ୍ଭ ହୋଇଛି। ଏମ୍‌ସିଏଲ ବାଙ୍କିବାହଲଠାରୁ ଭେଡାବାହାଲ ରାଜ୍ୟରାଜପଥ ୧୦ ପର୍ଯ୍ୟନ୍ତ ୪ ଲେନ୍‌ ବିଶିଷ୍ଟ ୩୦.୮କିଲୋମିଟର ପର୍ଯ୍ୟନ୍ତ ଏହି ରାସ୍ତା ନିର୍ମାଣ ହେଉଛି। ହେଲେ ଏହି ରାସ୍ତା ବର୍ତ୍ତମାନ ଅଧପନ୍ତରିଆ ହୋଇ ପଡ଼ିରହି ମରଣଯନ୍ତା ପାଲଟିଛି। ପ୍ରତ୍ୟେକ ଦିନ ଏହି ରାସ୍ତା ଉପରେ ଅନେକ ଟ୍ରକ ଯିବା ଆସିବା କରିବା ଦ୍ୱାରା ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗାତ ସୃଷ୍ଟି ହୋଇଛି। ଯାହା ଫଳରେ ଡୁଡୁକା, ବରପାଲି, କାଲୋବାହାଲ ଗ୍ରାମବାସୀ ଯା’ ଆସରେ ସମସ୍ୟା ଭୋଗୁଛନ୍ତି। ଏହି କାଦୁଅ ରାସ୍ତା ଦେଇ ଗ୍ରାମବାସୀ, ସ୍କୁଲ ଓ କଲେଜ ଛାତ୍ରୀଛାତ୍ରମାନେ ବିପଦସଙ୍କୁଳ ଅବସ୍ଥାରେ ଯିବା ଆସିବା କରୁଛନ୍ତି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଥିପ୍ରତି ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି କୋଲ କରିଡର ରାସ୍ତା ନିର୍ମାଣ କାର୍ଯ୍ୟ ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହେବା କଥା। ହେଲେ ନିର୍ମାଣ କାର୍ଯ୍ୟ ମନ୍ଥର ଗତି ଯୋଗୁଁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ ହେବା ନେଇ ଗ୍ରାମବାସୀ ସନ୍ଦେହ ପ୍ରକାଶ କରିଛନ୍ତି। ଏହି ରାସ୍ତା ନିର୍ମାଣ କରୁଥିବା ଠିକା ସଂସ୍ଥା ବାଲାଜୀ ଇଞ୍ଜିନିୟରର୍ସ ଲିମିଟେଡ୍‌ ପକ୍ଷରୁ କୁହାଯାଇଛି, ୬ମାସ ହେଲା କୌଣସି ବକେୟା ବିଲ୍‌ ମିଳିନାହିଁ। ବଲ୍‌ ମଞ୍ଜୁର ହେଲା ପରେ କାର୍ଯ୍ୟ ତ୍ୱାରାନିତ ହେବ। ଅପରପକ୍ଷେ ସୁନ୍ଦରଗଡ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଇ.ନାରାୟଣ ପଟେଲଙ୍କୁ ପଚାରିବାରୁ ,ଏହି କୋଲ କରିଡର ନିର୍ମାଣ କାର୍ଯ୍ୟ ୮୦ପ୍ରତିଶତ ଶେଷ ହେଲାଣି। ବ୍ୟୟ ଅଟକଳ ବାହାରେ ଏହି ରାସ୍ତାର କେତେକ ସ୍ଥାନରେ ପିଚୁ ବଦଳରେ କଂକ୍ରିଟ କାର୍ଯ୍ୟ ସହ କେତେକ ଏଡିସନାଲ ଓ୍ବାର୍କ ଏମସିଏଲର ଅନୁରୋଧ କ୍ରମେ କରାଯାଇଥିବାରୁ ଏ ବାବଦ ଅତିରିକ୍ତ ବ୍ୟୟ ଅଟକଳ ଅର୍ଥ ମଞ୍ଜୁରୀ ପ୍ରାପ୍ତରେ ବିଳମ୍ବ ହୋଇଥିବାରୁ ନିର୍ମାଣ ଦାୟିତ୍ୱରେ ଥିବା କମ୍ପାନୀର ବିଲ ମଧ୍ୟ ମିଳିନାହିଁ। ଏ ନେଇ ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି। ଖୁବ୍‌ ଶୀଘ୍ର ଏହାର ସମାଧାନ ହେବାସହ ଜନସାଧାରଣଙ୍କ ଯାତାୟତରେ ଯେଭଳି ସମସ୍ୟା ନ ହେବ ସେଥିପ୍ରତି ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି।