ନୂଆପଡ଼ା ଅଫିସ,୧୩।୬: ଭବାନୀପାଟଣା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ କୋମନା ଶାଖା ବ୍ୟାଙ୍କିଙ୍ଗ ଆସିଷ୍ଟାଣ୍ଟ ପ୍ରଦୀପ କୁମାର ଚନ୍ଦ୍ରକାରଙ୍କ ଘରେ ସୋମବାର ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ନେଇ ଭବାନୀପାଟଣା ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଭିଜିଲାନ୍ସ ଟିମ୍ କୋମନା ଶାଖା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସମେତ ବେଲଟୁକୁରିସ୍ଥିତ ୩ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଛି। ଚନ୍ଦ୍ରକାରଙ୍କୁ ଭବାନୀପାଟଣା ଭିଜିଲାନ୍ସ କୋର୍ଟକୁ ନିଆଯାଇଛି।
ପ୍ରାପ୍ତ ସୂଚନା ଅନୁସାରେ ବେଲଟୁକୁରି ଗାଁର ପ୍ରଦୀପ ଚନ୍ଦ୍ରକାର ବେଆଇନ ଭାବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ଭବାନୀପାଟଣା ଭିଜିଲାନ୍ସ କୋର୍ଟରେ ଅଭିଯୋଗ ହୋଇଥିଲା। ଉକ୍ତ ଅଭିଯୋଗକୁ ଭିତ୍ତିକରି ଭିଜିଲାନ୍ସ କୋର୍ଟରେ ଏକ ମାମଲା ରୁଜୁ ହେବା ସହ ଚନ୍ଦ୍ରକାରଙ୍କ ନାମରେ ୱାରେଣ୍ଟ ଜାରି କରି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଉକ୍ତ ନିର୍ଦ୍ଦେଶ ଆଧାରରେ ଏକକାଳୀନ ୪ଟି ସ୍ଥାନରେ ଚଢାଉ କରାଯାଇଛି। କୋରାପୁଟ ଭିଜିଲାନ୍ସ ଡିଏସ୍ପିଙ୍କ ନେତୃତ୍ୱରେ ମାଲକାନଗିରି, କଳାହାଣ୍ଡି ଓ ନୂଆପଡା ଜିଲା ଭିଜିଲାନ୍ସ ବିଭାଗ ୩ଜଣ ଡିଏସ୍ପି ଓ ୩ଜଣ ଇନ୍ସିପେକ୍ଟରଙ୍କୁ ନେଇ ଏକ ଟିମ୍ ଚଢ଼ାଉ କରିଛି।