ଅତ୍ୟଧିକ ସୁଧ ନେଇପାରିବେନି ବ୍ୟାଙ୍କ

ନୂଆଦିଲ୍ଲୀ,୧୯ା୮(ପି.ଟି.): ବ୍ୟାଙ୍କ ଓ ଅଣବ୍ୟାଙ୍କିଙ୍ଗ୍‌ ଆର୍ଥିକ କମ୍ପାନୀ(ଏନ୍‌ବିଏଫ୍‌ସି)ଗୁଡ଼ିକ ରାଜସ୍ବ ବୃଦ୍ଧି ନିମନ୍ତେ ସୁଧହାର ବଢ଼ାଇ ଚାଲିଥିବାରୁ ଏହାକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଶୁକ୍ରବାର ଚିନ୍ତାବ୍ୟକ୍ତ କରିଛି। ଏଥିସହ ଋଣଦାତାମାନଙ୍କ ପାଇଁ ନିୟମରେ ପରିବର୍ତ୍ତନ ଆଣିଛି। ଋଣରେ ଖିଲାପ ହେଲେ ସେମାନେ କେବଳ ‘ଉପଯୁକ୍ତ’ ପେନାଲ ଚାର୍ଜ ଲଗାଇପାରିବେ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ସ୍ପଷ୍ଟ କରିଛି।
ଆର୍‌ବିଆଇ ପକ୍ଷରୁ ଗୁରୁବାର ଜାରି ‘ଫେୟାର ଲେଣ୍ଡିଂ ପ୍ରାକ୍ଟିସ୍‌-ପେନାଲ ଚାର୍ଜେସ୍‌ ଇନ୍‌ ଲୋନ୍‌ ଆକାଉଣ୍ଟ୍‌ସ’ ସମ୍ପର୍କିତ ବିଜ୍ଞପ୍ତିରେ କୁହାଯାଇଛି ଯେ, ୨୦୨୪ ଜାନୁୟାରୀ ୧ ପରଠୁ ବ୍ୟାଙ୍କ ଓ ଅନ୍ୟ ଋଣ ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ପେନାଲ ଇଣ୍ଟ୍ରେଷ୍ଟ (ଦଣ୍ଡନୀୟ ସୁଧ) ବସାଇବାକୁ ଅନୁମତି ଦିଆଯିବ ନାହିଁ। ଗ୍ରହୀତା ଋଣ ନେବାବେଳେ ନିର୍ଦ୍ଧାରିତ ସର୍ତ୍ତର ଅନୁପାଳନ ପରବର୍ତ୍ତୀ ସମୟରେ କରି ନ ପାରିଲେ ତାଙ୍କଠାରୁ ନିଆଯାଉଥିବା ଅତ୍ୟଧିକ ସୁଧକୁ ପେନାଲ ଇଣ୍ଟ୍ରେଷ୍ଟ ପରିବର୍ତ୍ତେ ପେନାଲ ଚାର୍ଜ କୁହାଯିବ। ପେନାଲ ଚାର୍ଜର ପରିମାଣ ଯୁକ୍ତିଯୁକ୍ତ ହେବା ଆବଶ୍ୟକ। ପେନାଲ ଚାର୍ଜର କ୍ୟାପିଟାଲାଇଜେଶନ୍‌ ରହିବା ଅନୁଚିତ। ଏଭଳି ଚାର୍ଜ ଉପରେ ଚକ୍ରବୃଦ୍ଧି ସୁଧ କଷାଯାଇପାରିବ ନାହିଁ। ତେବେ ଏହି ନିର୍ଦ୍ଦେଶନାମା କ୍ରେଡିଟ୍‌ କାର୍ଡ, ବାହ୍ୟ ବ୍ୟବସାୟିକ ଋଣ, ବାଣିଜି୍ୟକ ଋଣ ଆଦି କ୍ଷେତ୍ରରେ ଲାଗୁ ହେବ ନାହିଁ ବୋଲି ଆର୍‌ବିଆଇ ପକ୍ଷରୁ କୁହାଯାଇଛି।
କେନ୍ଦ୍ରୀୟ ବ୍ୟାଙ୍କ ଆହୁରି କହିଛି ଯେ, ଆର୍‌ବିଆଇ ଅଧୀନରେ ପରିଚାଳିତ ଅନେକ ସଂସ୍ଥା ଖିଲାପକାରୀଙ୍କଠାରୁ ଦଣ୍ଡନୀୟ ସୁଧହାରରେ ଅର୍ଥ ଆଦାୟ କରୁଛନ୍ତି, ଯାହାକି ପ୍ରଯୁଜ୍ୟ ନିୟମଠାରୁ ବହୁ ଅଧିକ। ପେନାଲ ଇଣ୍ଟ୍ରେଷ୍ଟ/ଚାର୍ଜ ବସାଇବା ପଛର ଉଦ୍ଦେଶ୍ୟ ହେଉଛି କ୍ରେଡିଟ୍‌ ଡିସିପ୍ଲିନ ବଜାୟ ରଖିବା। ଏହାକୁ ରାଜସ୍ବ ବୃଦ୍ଧି ନିମନ୍ତେ ବ୍ୟବହାର କରାଯାଇପାରିବ ନାହିଁ।

Share