Advertisement

କନ୍ଧମାଳରେ ୭ ଦିନ ବ୍ୟାଙ୍କ ବନ୍ଦ

ଦାରିଙ୍ଗବାଡ଼ି,୨୨।୭(ଡି.ଏନ୍‌.ଏ.): କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବା ସହ ଲୋକାଲ କେସ୍‌ ମଧ୍ୟ ବଢ଼ି ଚାଲିଛି। କନ୍ଧମାଳ ଜିଲାରେ ଏକାଧିକ ବ୍ୟାଙ୍କର ଶାଖା ପରିଚାଳକ ସମେତ ଅନ୍ୟ କର୍ମଚାରୀ କରୋନାରେ ଆକ୍ରାନ୍ତ ହେବା ପରେ ଜିଲାପ୍ରଶାସନ ପକ୍ଷରୁ ସମସ୍ତ ବ୍ୟାଙ୍କକୁ ବୁଧବାର ଠାରୁ ୭ ଦିନିଆ ବନ୍ଦ କରିଦିଆଯାଇଛି। ଏହି ଘୋଷଣା ସମସ୍ତ ଗ୍ରାହକଙ୍କ ନିକଟରେ ପହଞ୍ଚି ନ ଥିବା ବେଳେ ସକାଳୁ ଏହି ସମସ୍ତ ବ୍ୟାଙ୍କକୁ ବନ୍ଦ କରାଯାଇଛି। ଏ ନେଇ କୌଣସି ବ୍ୟାଙ୍କରେ ନୋଟିସ ଲଗାଯାଇ ନ ଥିଲା। ଫଳରେ ବହୁ ଲୋକ ବ୍ୟାଙ୍କକୁ ଆସି ନିରାସ ହୋଇ ଫେରିଛନ୍ତି। କନ୍ଧମାଳ ଜିଲାରେ ଏହି ପଦକ୍ଷେପ ନିଆଯାଇଥିବା ବେଳେ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ସିମନବାଡ଼ି ସମେତ ବ୍ରାହ୍ମଣୀଗାଁ, ଗଦାପୁର, ବୁଡାଗୁଡ଼ା ଆଦି ଅଞ୍ଚଳରେ ରହିଥିବା ସମସ୍ତ ବ୍ୟାଙ୍କ ବନ୍ଦ ରହିଛି।
ସୂଚନାଯୋଗ୍ୟ ଯେ, ଦାରିଙ୍ଗବାଡ଼ି ଭାରତୀୟ ଷ୍ଟେଟବ୍ୟାଙ୍କର ଶାଖା ପରିଚାଳକ କରୋନା ସଂକ୍ରମଣ ହୋଇଥିବା ଜଣାପଡ଼ିବା ପରେ ଶୁକ୍ରବାରଠାରୁ ଉକ୍ତ ବ୍ୟାଙ୍କ ସମେତ ନିକଟକୁ ଲାଗିରହିଥିବା ମାର୍କେଟ ବିଲ୍ଡିଂ କୋଠାକୁ ମଧ୍ୟ ନିଷିଦ୍ଧାଞ୍ଚଳଭାବେ ଘୋଷଣା କରାଯାଇଛି। ଦିର୍ଘ ୬ ଦିନ ଧରି ଉକ୍ତ ବ୍ୟାଙ୍କ ବନ୍ଦ ହୋଇଥିବା ବେଳେ ଏବେ ସମସ୍ତ ବ୍ୟାଙ୍କକୁ ବନ୍ଦ କରିଦିଆଯାଇଛି। ସଂକ୍ରମଣ ଭୟରେ ଦାରିଙ୍ଗବାଡ଼ି ଅଞ୍ଚଳରେ ରହିଥିବା ଗ୍ରାହକ ସେବାକେନ୍ଦ୍ର ଗୁଡ଼ିକ ମଧ୍ୟ ନିଜ ଆଡ଼ୁ ବନ୍ଦ କରିଦେଇଥିବା ସିମନବାଡ଼ି ଗ୍ରାମର କିଓସ୍କୋର ମାଲିକ ଏସ୍‌. ସୁଶିଳ କୁମାର ସୁବୁଦ୍ଧି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share