Categories: ବାଣିଜ୍ୟ

ବ୍ୟାଙ୍କଗୁଡ଼ିକୁ ମିଳିବ ୨୦ ହଜାର କୋଟି

ନୂଆଦିଲ୍ଲୀ, ୧୫।୯: ଚଳିତ ଆର୍ଥତ୍କ ବର୍ଷରେ କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ୨୦ ହଜାର କୋଟି ଟଙ୍କାର ପୁଞ୍ଜି ଯୋଗାଇଦେବାକୁ ଲକ୍ଷ୍ୟ ରଖିଛନ୍ତି। କରୋନା ମହାମାରୀ ଯୋଗୁ ବ୍ୟାଙ୍କଗୁଡ଼ିକରେ ଅନାଦାୟ ଋଣ (ଏନ୍‌ପିଏ) ବଢ଼ିବା ଆଶଙ୍କା ରହିଛି। ବର୍ତ୍ତମାନ ଏନ୍‌ପିଏ ବ୍ୟାଙ୍କଗୁଡିକ ଲାଗି ସମସ୍ୟା ସୃଷ୍ଟି କରୁଥିବା ଦେଖାଯାଉଛି। ଏହା ଆହୁରି ବଢ଼ିଲେ ବ୍ୟାଙ୍କଗୁଡ଼ିକର ପରିଚାଳନାରେ ଏହା ମୁଣ୍ଡବ୍ୟଥା ବଢ଼ାଇବ। ଏହି ପ୍ରସଙ୍ଗକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ପୁଞ୍ଜି ଯୋଗାଣ ଦ୍ୱାରା ପରିଚାଳନାକୁ ଉନ୍ନତ କରିବାକୁ ଚାହୁଁଛନ୍ତି। ପୁଞ୍ଜି ଯୋଗାଇଦେବା ଲାଗି ପାର୍ଲାମେଣ୍ଟ ମଞ୍ଜୁରୀ ଲୋଡ଼ିଥିବା ଜଣାପଡ଼ିଛି। ରଏଟର୍ସରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ପୁଞ୍ଜି ସହାୟତା ଯୋଗାଇଦେବା ଲାଗି ସରକାର ପ୍ରସ୍ତୁତ ଥିବା କହିଥିଲେ। ସାରା ଦେଶରେ ଅଭିବୃଦ୍ଧି ଖସୁଥିବା ଯୋଗୁ ଏହା ଏନ୍‌ପିଏ ବଢ଼ାଇବା ଭଳି ସ୍ଥିତି ସୃଷ୍ଟି କରିଛି। ମହାମାରୀ ଯୋଗୁ ବ୍ୟାଙ୍କଗୁଡ଼ିକରେ ୨୦୨୧ ମାର୍ଚ୍ଚ ସୁଦ୍ଧା ମୋଟ ଏନ୍‌ପିଏ ୧୨.୫% ଛୁଇଁବା ନେଇ ଆକଳନ କରାଯାଇଛି। ଏହି ହାର ଚଳିତ ବର୍ଷ ମାର୍ଚ୍ଚରେ ୮.୫% ରହିଥିବା ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ରିପୋର୍ଟରୁ ସାମ୍ନାକୁ ଆସିଛି। ବ୍ୟାଙ୍କଗୁଡ଼ିକୁ ଗତ ୫ ବର୍ଷରେ କେନ୍ଦ୍ର ସରକାର ୩.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ସରକାର ଯୋଗାଇ ଦେଇଛନ୍ତି। ଚଳିତ ବର୍ଷ ବଜେଟରେ କେନ୍ଦ୍ର ସରକାର ବ୍ୟାଙ୍କଗୁଡ଼ିକୁ କୌଣସି ସହାୟତା ପ୍ରଦାନ କରି ନ ଥିଲେ। ପୁଞ୍ଜିବଜାରରୁ ଋଣ ଉଠାଣ ଉପରେ ବ୍ୟାଙ୍କଗୁଡ଼ିକୁ ଉତ୍ସାହିତ କରାଯାଇଥିଲା।

Share