ସରିଥିଲା ବ୍ୟାନର, ପୋଷ୍ଟର ଛପା : ରାତାରାତି ବଦଳିଗଲା ନିର୍ବାଚନୀ ଚିହ୍ନ

ବରଗଡ଼ ଅଫିସ୍‌,୨୮।୧: ପଞ୍ଚାୟତ ଭୋଟ୍‌କୁ ନେଇ ବରଗଡ଼ ଜିଲାରେ ଘଡ଼ିକେ ଘୋଡ଼ା ଛୁଟୁଛି। ଜିଲାର ଅମ୍ବାଭୋନା ବ୍ଲକର ଜିଲା ପରିଷଦ ଜୋନ-୨ରୁ କଂଗ୍ରେସ ଓ ଭାଜପା ପ୍ରାର୍ଥିନୀ ନାମାଙ୍କନ ପ୍ରତ୍ୟାହାର କରିବା ପରେ ସହଜରେ ବିଜେଡ଼ି ଏହି ଆସନକୁ ହାତେଇ ପାରିଛି ଏବଂ ଏହି ଆସନରୁ ରାଜ୍ୟରେ ପଞ୍ଚାୟତ ଭୋଟ୍‌ରେ ବିଜେଡ଼ି ଖାତା ଖୋଲିଛି। ଏହି ଘଟଣାକୁ ନେଇ ଚର୍ଚ୍ଚା ଥମି ନ ଥିବାବେଳେ ଉକ୍ତ ବ୍ଲକ ଅନ୍ତର୍ଗତ ଲଖନପୁର ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ସୀମାନ୍ତ କୁମାର ସାହୁଙ୍କ ନିର୍ବାଚନୀ ଚିହ୍ନ ରାତାରାତି ବଦଳିଯିବା ଏବେ ଆଲୋଚନାର ବିଷୟ ହୋଇଛି। ଏ ନେଇ ଶୁକ୍ରବାର ସରପଞ୍ଚ ପ୍ରାର୍ଥୀ ସୀମାନ୍ତ ବରଗଡ଼ ଉପଜିଲାପାଳ ଶୁଭେନ୍ଦ୍ର କୁମାର ସାମଲଙ୍କ ନିକଟରେ ଫେରାଦ ହୋଇ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏହାର ବିଧିବଦ୍ଧ ତଦନ୍ତ କରିବାକୁ ସେ ନିବେଦନ କରିଛନ୍ତି।
ପ୍ରକାଶ ଯେ, ଲଖନପୁର ପଞ୍ଚାୟତର ସରପଞ୍ଚ ଆସନ ପାଇଁ ୫ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଗତ ୨୫ତାରିଖରେ ପ୍ରଥମେ ପ୍ରକାଶିତ ସରପଞ୍ଚ ପ୍ରାର୍ଥୀଙ୍କ ନିର୍ବାଚନୀ ଚିହ୍ନ ତାଲିକାରେ ପ୍ରାର୍ଥୀ ସୀମାନ୍ତଙ୍କୁ ଖୋଲାଛତା ଚିହ୍ନ ମିଳିଥିଲା ଏବଂ ସେ ନେଇ ପଞ୍ଚାୟତ ନୋଟିସ ବୋର୍ଡ଼ରେ ମଧ୍ୟ ଉଲ୍ଲେଖ ରହିଥିବା ସୀମାନ୍ତ କହିଛନ୍ତି। ଏହାପରେ ସେ ସେହି ଚିହ୍ନକୁ ନେଇ ବ୍ୟାନର, ପୋଷ୍ଟର ଛାପିଥିବାବେଳେ ତାଙ୍କ ସମର୍ଥକଙ୍କୁ ଖୋଲାଛତାରେ ପ୍ରଚାର କରିବାକୁ କହିଥିବା ସୀମାନ୍ତ ପ୍ରକାଶ କରିଛନ୍ତି। ପରବର୍ତ୍ତୀ ସମୟରେ ତାହା ପରିବର୍ତ୍ତନ କରାଯାଇ ଅନ୍ୟ ଏକ ତାଲିକାରେ ସୀମାନ୍ତଙ୍କୁ ଲଙ୍ଗଳ ଚିହ୍ନ ମିଳିଥିବା ନେଇ ଉଲ୍ଲେଖ ରହିଛି ଏବଂ ଏହାକୁ ନେଇ ତାଙ୍କ ସମର୍ଥକ ତଥା ଭୋଟରମାନେ ଦ୍ୱନ୍ଦ୍ୱରେ ପଡ଼ିଥିବା ସେ କହିଛନ୍ତି। ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ସେ ଉପଜିଲାପାଳଙ୍କୁ ନିବେଦନ କରିଛନ୍ତି। ଏହି ପଞ୍ଚାୟତର ଅନ୍ୟ ୨ପ୍ରାର୍ଥୀଙ୍କ ନିର୍ବାଚନୀ ଚିହ୍ନ ବଦଳିଥିବା ସୂଚନା ମିଳିଛି । ଏ ସମ୍ପର୍କରେ ବିଧିବଦ୍ଧ ତଦନ୍ତ କରି ବିହିତ ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋ କହିଛନ୍ତି ।

Share