ସ୍କୁଲରେ ମୋବାଇଲ ବ୍ୟବହାର ବନ୍ଦ: ନେଦରଲାଣ୍ଡ ସରକାରଙ୍କ ନିଷ୍ପତ୍ତି…

ଆମଷ୍ଟରଡାମ,୫।୭ : ନେଦରଲାଣ୍ଡ ସରକାର ଆସନ୍ତା ବର୍ଷ ସୁଦ୍ଧା ବିଦ୍ୟାଳୟରେ ମୋବାଇଲ ଫୋନ, ଟାବଲେଟ ଏବଂ ସ୍ମାର୍ଟ ୱାଚ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛନ୍ତି। ସରକାରଙ୍କ ଅନୁସାରେ ଏହି ଜିନିଷଗୁଡିକ ଛାତ୍ରମାନଙ୍କ ଅଧ୍ୟୟନରେ ବାଧା ସୃଷ୍ଟି କରୁଛି, ଯେଉଁଥିପାଇଁ ସେସବୁକୁ ବାରଣ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଏହି ପ୍ରସଙ୍ଗରେ ଅଭିଭାବକ ଏବଂ ଶିକ୍ଷକଙ୍କ ସହମତି ନେବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ଅଧ୍ୟୟନ ସମୟରେ ମୋବାଇଲ ଫୋନର ବ୍ୟବହାର ପିଲାମାନଙ୍କ ଉପରେ କ୍ଷତିକାରକ ପ୍ରଭାବ ପକାଇଥାଏ ଏବଂ ଏହାର ପରିଣାମ ଦ୍ରୁତ ଗତିରେ ବଢୁଛି ବୋଲି ନେଦରଲାଣ୍ଡ ସରକାର କହିଛନ୍ତି। ଏହି ଉପକରଣଗୁଡ଼ିକ ଯୋଗୁ, ଛାତ୍ରମାନେ ଏକାଗ୍ର ହେବାରେ ସକ୍ଷମ ନୁହଁନ୍ତି, ଯାହାକି ସେମାନଙ୍କର କାର୍ଯ୍ୟଦକ୍ଷତାକୁ ସିଧାସଳଖ ପ୍ରଭାବିତ କରୁଛି। ଏହି କାରଣରୁ, ୧ ଜାନୁଆରୀ ୨୦୨୪ ରୁ ମୋବାଇଲ ଫୋନ, ସ୍ମାର୍ଟ ୱାଚ ଏବଂ ଟାବଲେଟ ସ୍କୁଲରେ ଅନୁମତି ଦିଆଯିବ ନାହିଁ। ଅଭିଭାବକ ଓ ଶିକ୍ଷକମାନଙ୍କୁ ଏହି ପ୍ରସଙ୍ଗରେ ସହମତ ହେବାକୁ ସରକାର ଅକ୍ଟୋବର ପର୍ଯ୍ୟନ୍ତ ସମୟ ଦେଇଛନ୍ତି।

ଏହି ନିଷ୍ପତ୍ତି ସାଂସ୍କୃତିକ ପରିବର୍ତ୍ତନ ଆଣିବ ବୋଲି ଡଚ ଶିକ୍ଷା ମନ୍ତ୍ରୀ ରବର୍ଟ ଡିକଗ୍ରାଫ କହିଛନ୍ତି। ଏହାପୂର୍ବରୁ ୨୦୧୮ରେ, ଫ୍ରାନ୍ସ ପ୍ରାଥମିକ ତଥା ମଧ୍ୟମ ବିଦ୍ୟାଳୟରେ ମୋବାଇଲ ବ୍ୟବହାର ଉପରେ ରୋକ ଲଗାଇଥିଲା। ବ୍ରିଟେନ ମଧ୍ୟ ଏଭଳି ପ୍ରତିବନ୍ଧକକୁ ଯଥାର୍ଥତା ଦେଇଥିଲା। ବ୍ରିଟେନ ଶିକ୍ଷା ମନ୍ତ୍ରୀ କହିଥିଲେ ଅଧିକାଂଶ ବିଦ୍ୟାଳୟରେ ମୋବାଇଲ ଫୋନ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି।

Share