Categories: ବାଣିଜ୍ୟ

ରିଲାଏନ୍ସ ଫାଉଣ୍ଡେଶନ ପକ୍ଷରୁ ବନ୍ତାରା’ର ଶୁଭାରମ୍ଭ

ଭୁବନେଶ୍ୱର,୨୭।୨: ଦେଶର ପ୍ରମୁଖ ସାମାଜିକ ପ୍ରତିଷ୍ଠାନ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌(ଆରଆଇଏଲ)ର ସିଏସ୍‌ଆର ୟୁନିଟ୍‌ ରିଲାଏନ୍ସ ଫାଉଣ୍ଡେଶନ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ବନ୍ତାରା (ଜଙ୍ଗଲର ତାରା) ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଯେଉଁଥିରେ ଉଭୟ ଭାରତ ଓ ବିଦେଶରେ ଆହତ, ଉତ୍ପୀଡ଼ନର ଶିକାର ଏବଂ ଭୟରେ ଥିବା ପଶୁମାନଙ୍କୁ ଉଦ୍ଧାର, ଚିକିତ୍ସା, ଯତ୍ନ ଓ ଥଇଥାନ ଆଦିର ବ୍ୟବସ୍ଥା କରାଯାଇଛି। ଏପରିକି ଗୁଜରାଟରେ ରିଲାଏନ୍ସ ଜାମ୍‌ନଗର ରିଫାଇନେରି ପରିସରରେ ଥିବା ସବୁଜ ବଳୟର ୩୦୦୦ ଏକର ପରିବ୍ୟାପ୍ତି/ବ୍ୟାପ୍ତ ସ୍ଥାନରେ ‘ବନ୍ତାରା’ର ଅୟମାରମ୍ଭ ହୋଇଛି। ଏହାର ମୂଳ ଲକ୍ଷ୍ୟ ହେଉଛି ବିଶ୍ୱରେ ସଂରକ୍ଷଣ ଉଦ୍ୟମର ଅନ୍ୟତମ ପ୍ରମୁଖ ଯୋଗଦାନକାରୀରେ ପରିଣତ ହେବା ସହିତ ପଶୁ ଯତ୍ନ ଓ କଲ୍ୟାଣ କ୍ଷେତ୍ରରେ ଅଭିଜ୍ଞ ବିଶେଷଜ୍ଞମାନଙ୍କ ସହ କାର୍ଯ୍ୟକରି ବନ୍ତାରା ୩୦୦୦ ଏକର ସ୍ଥାନକୁ ଏକ ପ୍ରାକୃତିକ ଜଙ୍ଗଲ ଭଳି ପରିବେଶରେ ପରିଣତ କରିଛି, ଯେଉଁଠାରେ ଉଦ୍ଧାର କରାଯାଇଥିବା ପଶୁମାନେ ଆରାମରେ ବାସ କରିପାରିବେ। ଆର୍‌ଆଇଏଲ୍‌ ବୋର୍ଡ ଓ ରିଲାଏନ୍ସ ଫାଉଣ୍ଡେଶନର ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ପରିକଳ୍ପନା କରାଯାଇଥିବା ତଥା ଉତ୍ସାହଭରା ନେତୃତ୍ୱରେ ଏହାର ସ୍ଥାପନ କରାଯାଇଛି। ଏହା ଭାରତରେ ପ୍ରଥମ ଘରୋଇ କାର୍ଯ୍ୟକ୍ରମ ହୋଇଥିଲାବେଳେ ଅନନ୍ତ ଅମ୍ବାନୀ ଜାମ୍‌ନଗରରେ ରିଲାଏନ୍ସର ମହତ୍ୱପୂର୍ଣ୍ଣ ଅକ୍ଷୟ ଶକ୍ତି ପ୍ରକଳ୍ପର ନେତୃତ୍ୱ ନେଉଛନ୍ତି, ଯାହା ୨୦୩୫ ସୁଦ୍ଧା ରିଲାଏନ୍ସକୁ ନେଟ୍‌ କାର୍ବନ ଜିରୋ ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ। ଏହି କାର୍ଯ୍ୟକ୍ରମ ଅଧୀନରେ ଗତ କିଛିବର୍ଷ ଭିତରେ ୨୦୦ରୁ ଊଦ୍ଧର୍‌ବ ହାତୀ, ହଜାର ହଜାର ଅନ୍ୟ ଜୀବ, ସରୀସୃପ ଓ ପକ୍ଷୀଙ୍କୁ ଅସୁରକ୍ଷିତ ସ୍ଥିତିରୁ ଉଦ୍ଧାର କରାଯାଇଛି । ଗଣ୍ଡା, କଲରାପତରିଆ ବାଘ ଓ କୁମ୍ଭୀର ଭଳି ପ୍ରମୁଖ ଜୀବଙ୍କୁ ଉଦ୍ଧାର ଓ ଥଇଥାନ ଦିଗରେ ମଧ୍ୟ ଏଥିରେ ଉଦ୍ୟମ କରାଯାଇଛି। ମେକ୍ସିକୋ ଓ ଭେନେଜୁଏଲା ଭଳି ବିଦେଶ ରାଷ୍ଟ୍ରର ଉଦ୍ଧାର କାର୍ଯ୍ୟକ୍ରମରେ ମଧ୍ୟ ବନ୍ତାରା ସାମିଲ ହୋଇଥିଲା।

Share