ଗାଁରେ ଲୁଣା କରାଣ୍ଡିଆ ପାଣି, ପାଇକାରେ ଘଳିଆ, ଦ୍ୱିପାଞ୍ଚଳର ୩ ଗାଁ ବିଚ୍ଛିନ୍ନ

କେନ୍ଦ୍ରାପଡ଼ା ଅଫିସ,୧୬।୮: ମହାନଦୀ ସିଷ୍ଟମରେ ଥିବା କେନ୍ଦ୍ରାପଡ଼ା ଜିଲାର ୫ ନଦୀରେ ପ୍ରଥମ ବନ୍ୟାଜଳ ପ୍ରବାହିତ ହୋଇଛି । ଲୁଣା କରାଣ୍ଡିଆର ଦ୍ୱୀପାଞ୍ଚଳରେ ଥିବା ୧୩ ଗ୍ରାମ ପାଣି ଘେରରେ ରହିଛି । ତେବେ ଏହି ଦ୍ୱୀପାଞ୍ଚଳରେ ଥିବା ମାର୍ଶାଘାଇ ବ୍ଲକ ଆଇତିପୁର, ଡିହ ବଳରାମପୁର ଓ ବାଳିସିଂ ଗ୍ରାମକୁ ବନ୍ୟା ଜଳ ମାଡି ଯାଇଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଅଦ୍ୟାବଧି ଏହି ୩ ଗ୍ରାମର ଲୋକଙ୍କୁ ସ୍ଥାନାନ୍ତର କରାଯାଇ ନାହିଁ। ଅପରପକ୍ଷରେ ଗରଦପୁର ବ୍ଲକ ଭଦଳାଠାରେ ଚିତ୍ରୋପତ୍ଳା ନଦୀବନ୍ଧରେ ଏକ ଘଳିଆ ସୃଷ୍ଟି ହୋଇଛି।
ସେହିପରି ଉକ୍ତ ବ୍ଲକ ବଡନୟନପୁର ଠାରେ ପାଇକା ନଦୀବନ୍ଧରେ ଏକ ଘଳିଆ ହୋଇଛି। ଏହି ଦୁଇ ନଦୀର ଘଳିଆକୁ ଜଳ ସମ୍ପଦ ବିଭାଗ ପକ୍ଷରୁ ବନ୍ଦ କରାଯାଇଛି। ବନ୍ୟା ପାଇଁ ଆଶ୍ରୟସ୍ଥଳୀଗୁଡିକ ଖୋଲା ଯାଇଛି। ତେବେ ଏଠାରେ ଥିବା ସରଞ୍ଜାମ ବ୍ୟବହାର ପଦ୍ଧତି ସମ୍ପର୍କରେ କାହାକୁ ଜଣା ନାହିଁ।ନଦୀ କୂଳ ଅଞ୍ଚଳର ପ୍ରାୟ ୫ ହଜାର ହେକ୍ଟର ଜମିରେ ଖରିଫ ଚାଷ ସହିତ ପନିପରିବା ନଷ୍ଟ ହୋଇଛି। ଜିଲା ପ୍ରଶାସନ ପକ୍ଷରୁ ବନ୍ୟା ସ୍ଥିତିକୁ ନିରୀକ୍ଷଣ କରାଯାଇ ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଣ, ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ଓ ଦୁର୍ବଳ ନଦୀବନ୍ଧର ସୁରକ୍ଷା ପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରାଯାଉଛି।