ସୁବର୍ଣ୍ଣରେଖାରେ ପ୍ରଥମ ବନ୍ୟାଜଳ

ବାଲିଆପାଳ, ୧୪ ।୮(ସ୍ବ.ପ୍ର.): ଉପରମୁଣ୍ଡରେ ଲଘୁଚାପ ଜନିତ ଲଗାଣବର୍ଷା ଫଳରେ ଶନିବାର ଅପରାହ୍ନଠାରୁ ସୁବର୍ଣ୍ଣରେଖା ନଦୀରେ ପ୍ରଥମ ବନ୍ୟାଜଳ ପ୍ରବାହିତ ହୋଇଛି। ଦିପଦସଂକେତ ଉପରେ ଜଳ ପ୍ରବାହିତ ହେଲେ ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ୫ଟି ପଞ୍ଚାୟତର ୨୦ରୁ ଅଧିକ ଗାଁ ବନ୍ୟା ପାଣିରେ ଜଳମଗ୍ନ ହେବା ସହିତ ବହୁ ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯିବ। ନଦୀରୁ ପାଣି ବାହାରି ବିଷ୍ଣୁପୁର ପଞ୍ଚାୟତ ଅଧୀନ ରାମନଗର ରସଲପୁର ଗାଁ ରାସ୍ତାରେ ବନ୍ୟାପାଣି ପ୍ରବାହିତ ହେଉଛି। ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ସୁବର୍ଣ୍ଣରେଖା ନଦୀରେ ଥିବା ଗାଲୁଡ଼ିହା ଏବଂ ଚାନ୍ଦିଲି ବ୍ୟାରେଜରୁ ଜଳ ନିଷ୍କାସନ ପାଇଁ ଗାଲୁଡ଼ିହାରେ ୨ଟି ଏବଂ ଚାନ୍ଦିଲିରେ ଗୋଟିଏ ଗେଟ୍‌ ଖୋଲାଯାଇ ବ୍ୟାରେଜରୁ ଜଳ ନିଷ୍କାସନ କରାଯାଉଛି। ଫଳରେ ସୁବର୍ଣ୍ଣରେଖା ନଦୀରେ ବନ୍ୟାଜଳ ବୃଦ୍ଧି ପାଉଛି। ଶନିବାର ଅପରାହ୍ନ ୩ଟା ସୁଦ୍ଧା ସୁବର୍ଣ୍ଣରେଖା ନଦୀର ରାଜଘାଟଠାରେ ବନ୍ୟାଜଳ ୬.୯୪ରେ ପ୍ରବାହିତ ହେଉଥିବା ବେଳେ ସେଠାରେ ବିପଦସଙ୍କେତ ୧୦.୩୬ମିଟର ରହିଛି। ସୁବର୍ଣ୍ଣରେଖା ନଦୀରେ ବନ୍ୟାଜଳ ବୃଦ୍ଧି ପାଇଲେ ବାଲିଆପାଳ ପଞ୍ଚାୟତର ବାଲିଆପାଳ ଗୁନାପୁର, ଆଠବାଟିଆ, ସୁଙ୍ଗମୁହଁ, କୁଦମାନସିଂ, ରାଉତୁରାପୁର, ମଧୁପୁରା ପଞ୍ଚାୟତର ଚୌଧୁରୀକୁଦ, ଚରବସ୍ତ କାଳରୁଇ, ପଞ୍ଚରୁଖି, ବିଷ୍ଣୁପୁର ପଞ୍ଚାୟତ ବିଷ୍ଣୁପୁର, ରସଲପୁର, ନୟାବାଲି, ଇକଡ଼ପାଳ, କୁହ୍ଲା, ଜାମକୁଣ୍ଡା ପଞ୍ଚାୟତ ଜାମକୁଣ୍ଡା, କୁହ୍ଲାଚଡ଼, ତାଳପଦା ଏବଂ ଆସ୍ତି ପଞ୍ଚାୟତ ବଢ଼ାପାଳ, ପାରଦୀପା, ଶରଦ୍ଧାରସାହି, ଅସ୍ତି, ବଡ଼ ଖାନପୁର, ପାଳଚମ୍ପେଇ ଆଦି ଗ୍ରାମର ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବେ। ସୁବର୍ଣ୍ଣରେଖା ନଦୀରେ ସେମିତି କିଛି ବନ୍ୟାର ଆଶଙ୍କା ନାହିଁ। ତଥାପି ବନ୍ୟା ପ୍ରତି ପ୍ରଶାସନ ସଜାଗ ରହିଛି। ଆବଶ୍ୟକ ହେଲେ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ବାଲିଆପାଳ ବିଡ଼ିଓ ଦୀପକ କୁମାର ଦାଶ କହିଛନ୍ତି।