ଚେନ୍ନାଇ,୧୨।୧: ଟେଷ୍ଟ୍ କ୍ରିକେଟରେ ଜଣେ କଞ୍ଜୁସ୍ ବୋଲର ଭାବେ ଭାରତୀୟ କ୍ରିକେଟର ବାପୁ ନାଦକର୍ଣ୍ଣୀଙ୍କ ନାମରେ ରେକର୍ଡ ରହିଛି। ୫୭ ବର୍ଷ ତଳେ ନାଦକର୍ଣ୍ଣୀ ଏକ ବିରଳ ରେକର୍ଡର ଅଧିକାରୀ ହୋଇଥିଲେ। ସେ ଇଂଲଣ୍ଡ ବିପକ୍ଷରେ ୧୩୧ ବଲ ବୋଲିଂ କରି କୌଣସି ରନ୍ର ସୁଯୋଗ ଦେଇ ନ ଥିଲେ। ୧୯୬୪ ଜାନୁୟାରୀ ୧୨ରେ ମାଡ୍ରାସ୍ର ନେହେରୁ ଷ୍ଟାଡ଼ିୟମ୍ରେ ଖେଳାଯାଉଥିବା ଏହି ଟେଷ୍ଟମ୍ୟାଚ୍ରେ ଇଂଲଣ୍ଡ ଦଳ ରନ୍ ପାଇଁ ସଂଗ୍ରାମ ଜାରି ରଖିଥିଲା। ବାମହାତୀ ସ୍ପିନର ନାଦକର୍ଣ୍ଣୀ ୩୨ ଓଭର ବୋଲିଂ କରିଥିଲେ। ସେଥିମଧ୍ୟରେ ୨୭ ଓଭର ମେଡ଼େନ୍ ଥିଲା। ତାଙ୍କ ବୋଲିଂରେ ଲଗାତାର ୨୧ ଓଭର ମେଡ଼େନ୍ ଥିଲା। ତାଙ୍କର ଏଭଳି ବୋଲିଂ ଯୋଗୁ ଇଂଲଣ୍ଡ ଦଳ ମାତ୍ର ୫ ରନ୍ କରିବାର ସୁଯୋଗ ମଧ୍ୟ ପାଇ ନ ଥିଲେ। ମ୍ୟାଚ୍ରେ ସେ କୌଣସି ଓ୍ବିକେଟ ନେଇ ନ ଥିଲେ ମଧ୍ୟ ବିରଳ ରେକର୍ଡ କରିଥିଲେ। କ୍ରିକେଟ କ୍ୟାରିୟରରେ ସେ ୪୧ ଟେଷ୍ଟ ମ୍ୟାଚ୍ ଖେଳି ୯୧୬୫ ବଲ ବୋଲିଂ କରି ୨୫୫୯ ରନ୍ ସହିତ ସେ ୮୮ ଓ୍ବିକେଟ ନେଇଥିଲେ। ବ୍ୟାଟିଂ କରି ସେ ମୋଟ ୧୪୧୪ ରନ୍ ସଂଗ୍ରହ କରିଥିଲେ। ୧୯୬୩-୬୪ସିରିଜ୍ରେ କାନପୁରର ନାବାଦ୍ଠାରେ ଇଂଲଣ୍ଡ ବିପକ୍ଷରେ ଅପରାଜିତ ୧୨୨ ରନ୍ ସଂଗ୍ରହ କରି ଭାରତକୁ ବିଜୟୀ କରାଇଥିଲେ। ସୂଚନାଯୋଗ୍ୟ, ବାପୁ ନାଦକର୍ଣ୍ଣୀ ୧୯୩୩ ଏପ୍ରିଲ୍ ୪ରେ ନାସିକ୍ଠାରେ ଜନ୍ମଗ୍ରହଣ କରିଥିଲେ। ୨୦୨୦ ଜାନୁୟାରୀ ୧୭ରେ ପୁଣେଠାରେ ସେ ୮୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।