Categories: ଖେଳ

ବାପୁଜୀ କ୍ରିକେଟ କ୍ଲବ ଚାମ୍ପିୟନ

ଭୁବନେଶ୍ୱର, ୧୩।୨ (କ୍ରୀଡ଼ା ପ୍ରତିନିଧି): ଷଷ୍ଠ ନବ ଦାସ ଏବଂ ୨ୟ ପ୍ରଶାନ୍ତ ମହାପାତ୍ର ମେମୋରିଆଲ ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଶେଷ ହୋଇଛି। ସ୍ଥାନୀୟ ବିଜେବି କଲେଜ ଖେଳ ପଡ଼ିଆରେ ଅନୁଷ୍ଠିତ ଫାଇନାଲରେ ରାମେଶ୍ୱର ସ୍ପୋର୍ଟିଂକୁ ୭ ଉଇକେଟରେ ହରାଇ ବାପୁଜୀ କ୍ରିକେଟ କ୍ଲବ ଚାମ୍ପିୟନ ହୋଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରାମେଶ୍ୱର ଆଶାନୁରୂପ ପ୍ରଦର୍ଶନ କରି ନ ପାରି ୨୦ ଓଭରରେ ୭ ଉଇକେଟ ହରାଇ ୧୦୯ ରନ କରିଥିଲା। ଦଳ ପକ୍ଷରୁ ନରେନ୍ଦ୍ର ଦାସ ସର୍ବାଧିକ ୩୪, ଆଦିତ୍ୟ ଜେନା ୨୨, ଜୟନ୍ତ ପ୍ରଧାନ ୨୦ ରନ କରିଥିଲେ। କାର୍ତ୍ତିକ ବିଶ୍ୱାଳ ରାମେଶ୍ୱର ସ୍ପୋର୍ଟିଂର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ସେ ଚମତ୍କାର ବୋଲିଂ କରି ୪ ଓଭରରେ ୨ଟି ମେଡେନ ନେବା ସହ ମାତ୍ର ୫ ରନ ଦେଇ ୪ ଉଇକେଟ ହାସଲ କରିଥିଲେ। ସୂର୍ଯ୍ୟକାନ୍ତ ପ୍ରଧାନ ଓ ଅଧିନାୟକ ବିପ୍ଳବ ସାମନ୍ତରାୟ ଗୋଟିଏ ଲେଖାଏ ଉଇକେଟ ପାଇଥିଲେ।

୧୧୦ ରନ ବିଜୟ ଲକ୍ଷ୍ୟକୁ ବାପୁଜୀ କ୍ରିକେଟ କ୍ଲବ ୧୨.୫ ଓଭରରେ ମାତ୍ର ୩ ଉଇକେଟ ହରାଇ ହାସଲ କରି ନେଇଥିଲା। ଓପନର ସିଦ୍ଧାନ୍ତ ଜେନା ମାତ୍ର ୨୮ ବଲ୍‌ରୁ ଦ୍ରୁତ ୬୨ (୮ ଚୌକା, ୪ ଛକା) ରନ ସଂଗ୍ରହ କରି ଦଳର ବିଜୟକୁ ସହଜ କରି ଦେଇଥିଲେ। ରାମେଶ୍ୱରର ରାକେଶ ଶର୍ମା ୩ଟି ଯାକ ଉଇକେଟ ନେଇଥିଲେ। ବିଜୟୀ ଦଳର କାର୍ତ୍ତିକ ବିଶ୍ୱାଳ ପ୍ଲେୟର ଅଫ୍‌ ଦି ମ୍ୟାଚ ଓ କ୍ଷମା ସାଗର ବଳ ପ୍ଲେୟର ଅଫ୍‌ ଦି ସିରିଜ ପୁରସ୍କାର ପାଇଥିଲେ। ସ୍ମିତେଶ ମହାପାତ୍ର ଓ ଆହ୍ବାନ ସାହାଣୀ ପୁରସ୍କାର ପ୍ରଦାନ କରିଥିଲେ। ଚାମ୍ପିୟନ ଦଳକୁ ଟ୍ରଫି ସହ ୩୫,୦୦୦ ଓ ରନରଅପ୍‌କୁ ୨୫,୦୦୦ ଟଙ୍କା ପ୍ରଦାନ କରାଯାଇଥିଲା। ନିର୍ମଳ ମିଶ୍ର ଓ ପ୍ରଦୀପ ଜେନା ମ୍ୟାଚ ପରିଚାଳନା କରିଥିଲେ। ସ୍କୋରର ଥିଲେ ଜ୍ଞାନ ରଞ୍ଜନ ନାୟକ। ନରେନ୍ଦ୍ର ଦାଶ, ସୌଭାଗ୍ୟ ମହାନ୍ତି, ଆହ୍ବାନ ସାହାଣୀ ଓ ସ୍ମିତେଶ ମହାପାତ୍ରଙ୍କ ସମେତ ଆୟୋଜକ ନବ ଦାସ ସ୍ମୃତି କମିଟି ଏବଂ ମୁନ୍‌ଲାଇଟ୍‌ କ୍ଲବର ସଦସ୍ୟମାନେ ଟୁର୍ନାମେଣ୍ଟ ପରିଚାଳନାରେ ସହାୟତା କରିଥିଲେ।

Share