ବାଇଡେନ୍‌ଙ୍କୁ ଉପରାଷ୍ଟ୍ରପତି ଭାବେ ସମ୍ବୋଧନ କଲେ ଓବାମା

ଓ୍ବାଶିଂଟନ୍‌,୬।୪: ଜୋ ବାଇଡେନ୍‌ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ପ୍ରଥମ ଥର ପାଇଁ ହ୍ବାଇଟ ହାଉସ ଗସ୍ତ କରିଛନ୍ତି। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ସେ ବାଇଡେନ୍‌ଙ୍କୁ ଭେଟି ସାକ୍ଷାତକାର କରିଛନ୍ତି। ଏହି ସମୟରେ ହ୍ବାଇଟ ହାଉସରେ ଓବାମା ଜୋ ବାଇଡେନଙ୍କ ସହ ଆଫଡେବୁଲ କେୟାର ଆକ୍ଟ(ଏସିଏ) ପାରିତ ହେବାର ଉତ୍ସବ ପାଳନ କରିଥିଲେ। ଉତ୍ସବ ପରେ ଉଭୟ ନେତା ଦୀର୍ଘ ସମୟ ଧରି ପରସ୍ପର ସହ କଥାବାର୍ତ୍ତା ହୋଇଥିବା ଦେଖିବାକୁ ମିଳିଥିଲା। ଏସିଏ ପାରିତ ହେବା ନେଇ ଘୋଷଣା କରାଯିବା ପରେ ଓବାମା ହ୍ବାଇଟ ହାଉସରେ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ବାରାକ ଓବାମା ଜୋ ବାଇଡେନଙ୍କୁ ‘ଉପରାଷ୍ଟ୍ରପତି’ ଭାବେ ସମ୍ବୋଧିତ କରିଥିଲେ। ଓବାମା ବାଇଡେନଙ୍କୁ ଉପରାଷ୍ଟ୍ରପତି ଭାବେ ସମ୍ବୋଧନ କରିବାରୁ ସେଠାରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିନ୍ତୁ କିଛି ସମୟ ପରେ ଲୋକଙ୍କ ତାଳି ମଧ୍ୟରେ ଓବାମା ବାଇଡେନଙ୍କୁ ଆଲିଙ୍ଗନ କରି ଥଟ୍ଟା କରୁଛନ୍ତି ବୋଲି କହିଥିଲେ। ସୂଚନାଯୋଗ୍ୟ, ଯେତେବେଳେ ଓବାମା ଆମେରିକାର ରାଷ୍ଟ୍ରପତି ଥିଲେ ସେହି ସମୟରେ ବାଇଡେନ ଉପରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଅନ୍ୟପଟେ ଓବାମାଙ୍କ ହ୍ବାଇଟ ହାଉସ ଗସ୍ତ ଏଭଳି ସମୟରେ ହୋଇଛି ଯେତେବେଳେ ଓବାମାଙ୍କ କାର୍ଯ୍ୟକାଳରେ ଉପରାଷ୍ଟ୍ରପତି ଭାବେ ବାଇଡେନଙ୍କ ଲୋକପ୍ରିୟତା କମିଛି। କିନ୍ତୁ ଏବେ ବି ପୂର୍ବତନ ରାଷ୍ଟ୍ରପତି ଭାବେ ଓବାମାଙ୍କ ଲୋକପ୍ରିୟତା ହ୍ରାସ ପାଇନାହିଁ।

Share