ମୋଦିଙ୍କ ସହ ସଂଖ୍ୟାଲଘୁଙ୍କ ସ୍ଥିତି ବିଷୟରେ ଆଲୋଚନା କରିବା ଉଚିତ: ଓବାମା

ଓ୍ବାଶିଂଟନ,୨୩।୬: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଭାରତରେ ସଂଖ୍ୟା ଲଘୁଙ୍କ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି,ଯଦି ଭାରତରେ ମୁସଲମାନ ସଂଖ୍ୟାଲଘୁଙ୍କ ଉପରେ ଧ୍ୟାନ ଦିଆ ନ ଗଲା ତେବେ ଭାରତ ଭାଙ୍ଗିଯାଇ ପାରେ ବା ବିଭାଜିତ ହୋଇପାରେ।

ସିଏନଏନକୁ ଦେଇଥିବା ଏକ ସାକ୍ଷାତକାରରେ ଓବାମା କହିଛନ୍ତି ଯେ ଯଦି ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇଥାଆନ୍ତି, ଯାହାଙ୍କୁ ମୁଁ ଭଲଭାବେ ଜାଣେ ତେବେ ତାଙ୍କୁ କହିଥାଆନ୍ତି ଯେ ଭାରତରେ ଯଦି ସଂଖ୍ୟାଲଘୁ ସମ୍ପ୍ରଦାୟକୁ ସୁରକ୍ଷା ଦିଆ ନ ଯାଏ ତେବେ କୌଣସି ଏକ ପଏଣ୍ଟରେ ଭାରତ ବିଭାଜିତ ହୋଇପାରେ।
ଓବାମା ଆହୁରି ମଧ୍ୟ କହିଛନ୍ତି ଯେ ବାଇଡେନଙ୍କ ସହ ମୋଦି କଥା ହେବା ସମୟରେ ଭାରତରେ ମୁସଲମାନ ସଂଖ୍ୟାଲଘୁଙ୍କ ସୁରକ୍ଷା ବିଷୟରେ ଆଲୋଚନା କରିବା ଉଚିତ। ଯଦିଓ ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ସହକର୍ମୀଙ୍କ ସହ ମାନବିକ ଅଧିକାର ବିଷୟରେ ଆଲୋଚନା କରିବା ଟିକେ କଷ୍ଟକର।
ଓବାମା କହିଛନ୍ତି ଯେ ‘ଆମେ ଦେଖିଛୁ ଯେ ଯେତେବେଳେ ଆଭ୍ୟନ୍ତରୀଣ ବିବାଦ ବଢେ, ସେତେବେଳେ ଏହା ଭାରତର ମୁସଲମାନମାନଙ୍କ ସ୍ବାର୍ଥରେ କିମ୍ବା ହିନ୍ଦୁମାନଙ୍କ ସ୍ବାର୍ଥରେ ରହିବ ନାହିଁ। ମୁଁ ଭାବୁଛି ଏହି ଜିନିଷଗୁଡ଼ିକ ଭଲ ଭାବରେ ବା ଖୋଲାଖୋଲି ଭାବେ କଥାବାର୍ତ୍ତା ହେବା ଉଚିତ।

Share