ବରାଳିନୀ ସାହି କଣ୍ଟେନମେଣ୍ଟ ଜୋନ

ଜି.ଉଦୟଗିରି, ୩୦।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି. ଉଦୟଗିରି ସହର ବିଭିନ୍ନ ସାହିରେ କରୋନା କାୟା ବିସ୍ତାର କରିଚାଲିଛି। ମହାଗୁଡା ସାହି, କଚେରୀ ସାହି, ଓ ବସ୍‌ଷ୍ଟାଣ୍ଡ ସାହି ପରେ ବରାଳିନୀ ସାହି ଏବେ କରୋନା କବଳରେ। ବୁଧବାର ବରାଳିନୀ ସାହିରେ କରୋନା ଅକ୍ରାନ୍ତ ଚିହ୍ନଟ ହେବା ପରେ ଏହାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏଥିସହ ବ୍ୟାରିକେଟ କରାଯାଇ ଉକ୍ତ ସାହିକୁ ଆବଦ୍ଧ କରାଯାଇଛି। ସେହିପରି ଉକ୍ତ ସାହିରେ ସାନିଟାଇଜ୍‌ କରାଯିବା ସହ ଘର ଘର ବୁଲି ସ୍କ୍ରିନିଂ କରାଯାଇଥିବା ଜଣାପଡ଼ିଛି। ଜି. ଉଦୟଗିରି ସହରରେ ଜେଲ୍‌, ହସ୍ପିଟାଲ, ବ୍ୟାଙ୍କ, ଓ ସହରର ବଡ଼ ବଡ଼ ୪ଟି ସାହିରୁ କରୋନା ଅକ୍ରାନ୍ତ ଚିହ୍ନଟ ହେବା ପରେ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି। ଅନ୍ୟପଟେ ଜ୍ୱର କାଶ ହେଲେ ଲକ୍ଷଣ ନ ଲୁଚାଇ ଫିବର କ୍ଲିନିକରେ ଆସି ଚିକିତ୍ସା କରିବାକୁ ବିଡିଓ ଶାନ୍ତନୁ କୁମାର ନାୟକ, ବିପିଏଚ୍‌ ଓ ଡାକ୍ତର ଶକ୍ତିକାନ୍ତ ମଲ୍ଲିକ, ଏନ୍‌ଏସି ଅଧିକାରୀ ସଞ୍ଜୀବ କୁମାର ମହାପାତ୍ର ପରାମର୍ଶ ଦେଇଛନ୍ତି। ସାହି ବାସିନ୍ଦାମାନେ ମଧ୍ୟ ଲକ୍ଷଣ ଥିବା ଲୋକଙ୍କ ସମ୍ପର୍କରେ ସୂଚନା ଦେବାକୁ ବିଡିଓ ଅନୁରୋଧ କରିଛନ୍ତି।