ନୂଆଦିଲ୍ଲୀ,୫।୩: ଲୋକ ସଭା ନିର୍ବାଚନ ପାଇଁ ଭାଜପା ୧୯୫ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବାର ଦୁଇଦିନ ମଧ୍ୟରେ ୨ ଜଣ ପ୍ରାର୍ଥୀ ଓହରିଲେଣି। ପଶ୍ଚିମବଙ୍ଗର ଆସାନସୋଲ୍ ଆସନରୁ ପ୍ରାର୍ଥୀ ହୋଇଥିବା ଭୋଜପୁରୀ ଅଭିନେତା ତଥା ଗାୟକ ପଓ୍ବନ ସିଂ ଭୋଟ ଲଢ଼ିବା ପାଇଁ ଅସାମର୍ଥ୍ୟ ପ୍ରକାଶ କରିଥିଲେ। ବାରବାଙ୍କୀରୁ ଭାଜପା ପ୍ରାର୍ଥୀ ହୋଇଥିବା ଏମ୍ପି ଉପେନ୍ଦ୍ର ସିଂ ରାଓ୍ବତ୍ ଏକ ଅଶ୍ଳୀଳ ଭିଡିଓ ଭାଇରାଲକୁ ନେଇ ବିବାଦରେ ଫସିଥିବାରୁ ନିର୍ବାଚନ ଲଢ଼ିବାକୁ ଚାହୁଁ ନ ଥିବା କହିଛନ୍ତି। ଡିପ୍ଫେକ୍ ଏଆଇ ପ୍ରଯୁକ୍ତି ବଳରେ ତାଙ୍କ ଭିଡିଓକୁ ଏଡିଟ୍ କରାଯାଇଥିବାରୁ ରାଓ୍ବତ୍ ଏହା ବିରୋଧରେ ଏତଲା ଦାଏର କରିଛନ୍ତି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଏହାର ତଦନ୍ତ କରନ୍ତୁ। ସେ ନିର୍ଦ୍ଦୋଷ ପ୍ରମାଣିତ ନ ହେବା ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି। ରାଓ୍ବତ୍ଙ୍କୁ ବାରବାଙ୍କୀ ପ୍ରାର୍ଥୀ କରାଯିବା ପରେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଜଣେ ବ୍ୟକ୍ତି ଅନ୍ୟଜଣେ ମହିଳାଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଥିବା ଦେଖାଯାଇଛି। ଭିଡିଓକୁ ଜାଲିଆତି କରାଯାଇଥିବା ଦର୍ଶାଇ ରାଓ୍ବତ ଏତଲା ଦାଏର କରିଛନ୍ତି।