ବାରବାଟୀ-କଟକ ବିଧାନସଭା ନିର୍ବାଚନମଣ୍ଡଳୀ: ଭାଜପାରେ ଆଶାୟୀଙ୍କୁ ନେଇ ଚାଲିଛି ଅଙ୍କକଷା

କଟକ,୨୫।୨(ଶିଳ୍ପା ପ୍ରିୟଦର୍ଶିନୀ): ୨୦୨୪ ନିର୍ବାଚନ ପାଇଁ ଚାଲିଛି ସମସ୍ତ ଦଳ ମଧ୍ୟରେ ଅଙ୍କକଷା। ଏପରିକି ଦଳରୁ ଏକାଧିକ ଆଶାୟୀ ପ୍ରାଥୀଙ୍କ ନାମ ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି। ବିଧିବଦ୍ଧ ଭାବେ ଆଶାୟୀଙ୍କ ନାଁ ଘୋଷଣା ହୋଇନାହିଁ ସତ, ହେଲେ ଚର୍ଚ୍ଚା ଦିନକୁ ଦିନ ବଢୁଛି। ବାରବାଟୀ-କଟକ ଆସନ ପାଇଁ ଭାଜପାର ଆଶାୟୀଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ସମୀର ଦେ, ରାଜ୍ୟ ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକ, ନଗର ଭାଜପା ସଭାପତି ଲଲାଟେନ୍ଦୁ ବଡୁ, କର୍ପୋରେଟର ଗଗନ ଓଝା, ରାଜ୍ୟ ଭାଜପା ମହିଳା ମୋର୍ଚ୍ଚା କୋଷାଧ୍ୟକ୍ଷ କଳ୍ପନା ପଟ୍ଟନାୟକ, ବରିଷ୍ଠ ନେତ୍ରୀ ଗୀତା ଦାସ, ବ୍ୟାଙ୍କ କର୍ମଚାରୀ ସଂଘ ନେତା ଦୁର୍ଯ୍ୟୋଧନ ଲେଙ୍କା, ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ରଙ୍କୁ ନେଇ ଏବେ କଳ୍ପନାଜଳ୍ପନା କରାଯାଉଛି। ୨୦୧୯ ନିର୍ବାଚନରେ ବାରବାଟୀ-କଟକ ଆସନରୁ ବରିଷ୍ଠ ନେତା ସମୀର ଦେ ଲଢ଼ିଥିବାବେଳେ ପ୍ରଥମ ସ୍ଥାନରେ କଂଗ୍ରେସ, ଦ୍ୱିତୀୟ ସ୍ଥାନରେ ବିଜେଡି ଓ ତୃତୀୟ ସ୍ଥାନରେ ଭାଜପା ରହିଥିଲା। ପ୍ରାୟ ୧୬ ହଜାର ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ ସମୀର। ହେଲେ ୨୦୨୪ ନିର୍ବାଚନରେ ଦଳର ଅନେକ ଚେହେରା ଧୀରେ ଧୀରେ ସାମ୍ନାକୁ ଆସୁଥିବାବେଳେ ସମୀରଙ୍କୁ ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଛି। ସେହିପରି ନଗର ସଭାପତି ସମସ୍ତ କାର୍ଯ୍ୟ ଜାରି ରଖିଥିବାବେଳେ କର୍ପୋରେଟର ଗଗନ ଓଝା ନିଜ ୱାର୍ଡ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରୁଛନ୍ତି । ଏପରିକି କିଛିଦିନ ତଳେ ଦଳୀୟ ବ୍ୟାନରରେ ନେତୃବୃନ୍ଦଙ୍କୁ ନେଇ ଶୋଭାଯାତ୍ରା କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସେହିପରି ଅନ୍ୟ ଆଶାୟୀମାନେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସକ୍ରିୟ ଅଛନ୍ତି। ସମୀର କହିଛନ୍ତି, ଦଳ ଟିକେଟ ଦେଲେ ନିଶ୍ଚିତ ଲଢ଼ିବେ। ଅନ୍ୟପକ୍ଷରେ ପୂର୍ବ ନିର୍ବାଚନରେ ସମୀରଙ୍କ ପରାଜୟ ପରେ ନୂଆ ଚେହେରା ସାମ୍ନାକୁ ଆଣିବା ନେଇ ଦଳ ଭିତରୁ ନେତୃତ୍ୱ ଉପରେ ଚାପ ପଡୁଛି ବୋଲି ଏବେ ଶୁଣିବାକୁ ମିଳୁଛି।

Share