Categories: ଖେଳ

ହାର୍ଟ ପାଇଁ ଶେଷ ହେଲା କ୍ୟାରିୟର

ବାର୍ସିଲୋନା,୧୫।୧୨: ବାର୍ସିଲୋନା ତଥା ଆର୍ଜେଣ୍ଟିନା ଷ୍ଟ୍ରାଇକର ସେର୍ଗିଓ ଅଗୁରୋ ବୁଧବାର ଫୁଟ୍‌ବଲରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ହୃଦ ଜନିତ ସମସ୍ୟା କାରଣରୁ ୩୩ ବର୍ଷ ବୟସରେ ସେ ନେଇଛନ୍ତି ଅବସର ନିଷ୍ପତ୍ତି। ଏଥିସହ ଶେଷ ହୋଇଛି ତାଙ୍କର ଦୀର୍ଘ ୧୮ ବର୍ଷର ଲମ୍ବା କ୍ୟାରିୟର। ପୂରା କ୍ୟାରିୟରରେ ୪୦୦ରୁ ଅଧିକ ଗୋଲ କରିଥିବା ଅଗୁରୋ ଆର୍ଜେଣ୍ଟିନା ପାଇଁ ଅନ୍ତର୍ଜାତୀୟ ସ୍ତରରେ ୪୧ ଗୋଲ କରିଥିଲେ।

ଅକ୍ଟୋବର ୩୦ ତାରିଖରେ ବାର୍ସିଲୋନା ଓ ଆଲାଭେଜ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ବେଳେ  ଛାତିରେ ଯନ୍ତ୍ରଣା ଅନୁଭବ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିଛି ଦିନ ପରେ ଲା ଲିଗା କ୍ଲବ ବାର୍ସିଲୋନା ପକ୍ଷରୁ କୁହାଯାଇଥିଲା, ହାର୍ଟର ସ୍ଥିତି ଭଲ ନ ଥିବାରୁ ସେ ଅତିକମ୍‌ରେ ୩ ମାସ ପାଇଁ ଫୁଟ୍‌ବଲରୁ ଦୂରେଇ ରହିବେ।

“ମୁଁ ଫୁଟ୍‌ବଲ ନ ଖେଳିବାକୁ ମନସ୍ଥ କଲି । ମୋ ସ୍ବାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି। ଫୁଟବଲ ଛାଡ଼ି ଦେବାକୁ ଡାକ୍ତର ମୋତେ ପରାମର୍ଶ ଦେଇଛନ୍ତି। ମୁଁ ୧୦ ଦିନ ତଳେ ଏହି ନିଷ୍ପତ୍ତି ନେଇଥିଲି। ମୋ କ୍ୟାରିୟର ପାଇଁ ମୁଁ ଗର୍ବିତ। ଏହା ମୋ ପାଇଁ ସ୍ବପ୍ନ ସତ ହେଲା ଭଳି ଥିଲା” ବୋଲି ଲୁହ ଭରା ଆଖିରେ କାମ୍ପାନୂଆଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଅଗୁରୋ କହିଛନ୍ତି।

Share