ବରଗଡ଼ ଧନୁଯାତ୍ରା ସ୍ଥଗିତ

ବରଗଡ଼ ଅଫିସ୍‌,୧୦।୧୨: ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ସ୍ଥଗିତ ରଖାଯାଇଛି। ରାଜ୍ୟ ସରକାରଙ୍କ କୋଭିଡ୍‌ ଗାଇଡ୍‌ ଲାଇନକୁ ଦୃଷ୍ଟିରେ ରଖି ଶୁକ୍ରବାର ସନ୍ଧ୍ୟାରେ ଜିଲାପାଳଙ୍କ ଅଫିସ ସମ୍ମିଳନୀ କକ୍ଷରେ ଧନୁଯାତ୍ରା ମହୋତ୍ସବ ସମିତି ଅଧ୍ୟକ୍ଷ ତଥା ଜିଲାପାଳ ମୋନିଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ ରାଜ୍ୟ ସରକାରଙ୍କ ଜାନୁୟାରୀ କୋଭିଡ୍‌ ଗାଇଡ୍‌ ଲାଇନକୁ ଅପେକ୍ଷା କରାଯାଇଛି। ନୂଆ ଗାଇଡ୍‌ ଲାଇନରେ ଯଦି ଧନୁଯାତ୍ରା ମହୋତ୍ସବ ସମ୍ଭବ ହେବ ତେବେ ସେତେବେଳେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସୂଚନା ଦିଆଯାଇଛି।

୨୦୨୨ ଜାନୁୟାରୀ ୭ରୁ ୧୭ତାରିଖ ପର୍ଯ୍ୟନ୍ତ ଧନୁଯାତ୍ରା ତିଥି ରହିଛି। ଆସନ୍ତା ୧୯ତାରିଖ ମାର୍ଗଶୀର ଶୁକ୍ଳପକ୍ଷରେ ବରଗଡ଼ ଧନୁଯାତ୍ରା ଶୁଭସ୍ତମ୍ଭ ସ୍ଥାପନ କରାଯିବାର ଥିଲା। ଧନୁଯାତ୍ରା ପ୍ରସ୍ତୁତି ସାଧାରଣତଃ ଦୁଇମାସ ପୂର୍ବରୁ ଚାଲିଥାଏ। କିନ୍ତୁ ଏଥିପାଇଁ ଜାନୁୟାରୀ ମାସର କୋଭିଡ୍‌ ଗାଇଡ୍‌ ଲାଇନକୁ ଅପେକ୍ଷା କରାଯିବା ଏବଂ ତିଥି ଅନୁଯାୟୀ ସେହି ମାସ ପ୍ରଥମ ସପ୍ତାହରେ ଏହି ମହୋତ୍ସବ ପଡୁଥିବାରୁ ଗତଥର ଭଳି ଏଥର ମଧ୍ୟ ଧନୁଯାତ୍ରା ବାତିଲ ହେବା ସମ୍ଭାବନା ରହିଛି। ବୈଠକରେ ସମିତିର ସମ୍ପାଦକ ତଥା ଆବାହକ ସୁରେଶ୍ୱର ଶତପଥି, ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋ, ଉପଜିଲାପାଳ ଶୁଭେନ୍ଦ୍ର କୁମାର ସାମଲ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ କୃତ୍ତିବାସ ରାଉତ, ତହସିଲଦାର ସଞ୍ଜୀବ ମେହେର, ଅତିରିକ୍ତ ଏସ୍‌ପି ପ୍ରଦ୍ୟୁମ୍ନ କୁମାର ମିଶ୍ର, ଡିଆଇପିଆର୍‌ଓ କଲ୍ୟାଣୀ ଦାଶ, ଓକିଲ ସଂଘର ସଭାପତି କୁଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Share