ଧାନ ବୋଝେଇ ଟ୍ରାକ୍ଟର ରଖି ରାସ୍ତା ଅବରୋଧ କଲେ ବରଗଡ଼ ଚାଷୀ

ପଦ୍ମପୁର,୨୫।୧(ଡି.ଏନ୍‌.ଏ.)- ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଅଢେଇ ମାସରୁ ଅଧିକ ସମୟ ବିତିଲାଣି। ମାତ୍ର ଧାନ ବିକ୍ରି ସମସ୍ୟା ତୁଟି ନାହିଁ। ଚାଷୀମାନେ ଧାନ ବିକ୍ରି କରି ସାରି ନ ଥିବାବେଳେ ବିଭିନ୍ନ ମଣ୍ଡି ଗୁଡିକୁ ବନ୍ଦ କରି ଦିଆଯାଇଛି। ଅନ୍ୟପକ୍ଷରେ ଚାଷୀଙ୍କୁ ମିଳିଥିବା ଟୋକନ ଅବଧି ମଧ୍ୟ ସରି ବସିଛି। ଫଳରେ ଚାଷୀମାନେ ଧାନ ବିକ୍ରି କରି ନ ପାରି ବହୁ ଅସୁବିଧାର ସମ୍ମୁଖିନ ହୋଇଛନ୍ତି। ଏହି କ୍ରମରେ ସୋମବାର ରାଜବୋଡାସମ୍ବର କୃଷକ ସଂଗଠନ ନେତୃତ୍ୱରେ ଚାଷୀମାନେ କନସିଂହା ଛକରେ ଧାନ ବୋଝେଇ ଟ୍ରାକ୍ଟର ରଖି ପଦ୍ମପୁର- ସୋହେଲାକୁ ସଂଯୋଗ କରୁଥିବା ରାସ୍ତାକୁ ଅବରୋଧ କରିଛନ୍ତି। ଚାଷୀଙ୍କ ପାଖରେ ରହିଥିବା ସମସ୍ତ ଧାନକୁ କିଣିବା ପାଇଁ ସେମାନେ ଦାବି କରିଛନ୍ତି। ରାସ୍ତାର ଉଭୟ ପାଶର୍‌ବରେ ଶତାଧିକ ଗାଡି ଅଟକି ରହିଛି।

Share