ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ):ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାକୁ ନେଇ ବରଗଡ଼ ସବୁବେଳେ ଚର୍ଚ୍ଚାର ବିଷୟ ହୋଇ ପଡିଛି। ଏଠାରେ ଉଚ୍ଚ ନ୍ୟାୟାଳୟର ବାରମ୍ବାର ଆଦେଶ ସତ୍ତ୍ୱେ ରାସ୍ତାପାର୍ଶ୍ୱ ଜବରଦଖଲକାରୀଙ୍କୁ ହଟାଯାଉ ନାହିଁ, ଅନ୍ୟପଟେ ଗରିବ ଠେଲା ଦୋକାନୀଙ୍କୁ ଉଚ୍ଛେଦ ପାଇଁ ପ୍ରଶାସନ ଆଗଭର ହୋଇ ଆସୁଥିବା ଅଭିଯୋଗ ହେଉଛି। ଏଯାଏ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ସତ୍ତ୍ୱେ ବରଗଡ଼ ଲେଙ୍ଗୁ ମିଶ୍ର ଛକଠାରୁ ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ କରିବାରେ ଅସହାୟ ହୋଇ ପଡ଼ିଥିବା ପ୍ରଶାସନ ବୁଧବାର ଅମ୍ବାପାଲି ଛକକୁ ପହଞ୍ଚି ସେଠାରେ ରହିଥିବା ଚା, ହୋଟେଲ, ପାନ ଦୋକାନକୁ ଉଚ୍ଛେଦ ପାଇଁ ପହଞ୍ଚିଥିଲା। ତେବେ ଜବରଦଖଲରେ ଥିଲାବାଲାଙ୍କୁ ଅନୁକମ୍ପା ଏବଂ ଗରିବଙ୍କୁ ଉଚ୍ଛେଦରେ ପ୍ରଶାସନର ସେଭଳି ଆଭିମୁଖ୍ୟ ସାଧାରଣରେ ଆଲୋଚନାର ବିଷୟ ପାଲଟିଛି।
ବରଗଡ଼ ସହର ଲେଙ୍ଗୁ ମିଶ୍ର ଛକଠାରୁ ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ସହରବାସୀଙ୍କ ଦୀର୍ଘବର୍ଷର ଦାବି ହୋଇ ରହିଛି। ସହରବାସୀ ଏକଜୁଟ୍ ହୋଇ ଉକ୍ତ ସ୍ଥାନରେ ହୋଇଥିବା ଜବରଦଖଲ ଉଚ୍ଛେଦ ପାଇଁ ସ୍ଥାନୀୟ ଜିଲା ଓକିଲ ସଂଘ ଏବଂ ସମଲେଶ୍ୱରୀ ସଂଘର ନେତୃତ୍ୱରେ ଦୃଢ଼ ଦାବି କରିଥିଲେ। ୨୦୨୩ରେ ଜିଲା ପ୍ରଶାସନର ଉଚ୍ଛେଦ ପାଇଁ ଆଗେଇ ଆସିଥିଲା। କିନ୍ତୁ ଉଚ୍ଛେଦରେ ପ୍ରଭାବିତ ଲୋକେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବା ପରେ ତାହା ଅଧାରେ ଅଟକି ଯାଇଥିଲା।
ଅନ୍ୟପଟେ ଉଚ୍ଚ ନ୍ୟାୟାଳୟ ସମ୍ପୃକ୍ତ ସ୍ଥାନରେ ଜବର ଦଖଲ ଉଚ୍ଛେଦ ସପକ୍ଷରେ ଇତିମଧ୍ୟରେ ୨ଥର ରାୟ ଦେଇ ସାରିଲେଣି। ଏହାସତ୍ତ୍ୱେ ପ୍ରଶାସନ ସେହି ଜବରଦଖଲ ସ୍ଥାନକୁ ଉଚ୍ଛେଦ କରିବାକୁ ସାହାସ ଜୁଟାଇ ପାରୁନାହିଁ। କିନ୍ତୁ ସରକାରୀ ଜମିରେ ଗରିବ ଲୋକ ରହିବା ପାଇଁ ଘର କିମ୍ବା ପରିବାର ପୋଷଣ ପାଇଁ ଠେଲା ଦୋକାନ ଦେଇଥିଲେ, ସେହି ସ୍ଥାନକୁ ଉଚ୍ଛେଦ ପାଇଁ ପୋଲିସ, ପ୍ରଶାସନ ଆଗେଇ ଆସୁଥିବାକୁ ନେଇ ସହରରେ ଚର୍ଚ୍ଚା ଜୋର୍ ଧରିଛି।
ଗତ ଧନୁଯାତ୍ରା ମହୋତ୍ସବର ଅବ୍ୟବହିତ ପୂର୍ବରୁ ଜୀରାନଦୀ କୂଳ ପାଖରେ ରହିଥିବା ଅମ୍ବାପାଲିର ଜଣେ ଗରିବ ବୃଦ୍ଧାଙ୍କ ଘରକୁ ଉଚ୍ଛେଦ କରିବାକୁ ପୌର ପ୍ରଶାସନ ପୂରାଦମ୍ରେ ଲାଗି ପଡ଼ିଥିଲା। ବୋଲଡ଼ୋଜର ଲଗାଇ ଘରର କିଛି ଅଂଶକୁ ଭଙ୍ଗା ବି ଯାଇଥିଲା। କିନ୍ତୁ ସମ୍ପୃକ୍ତ ବୃଦ୍ଧା ବୋଲଡ଼ୋଜର ଉପରକୁ ଚଢ଼ିଯାଇ ଥିବାବେଳେ ପଡ଼ାବାସୀ ଦୃଢ଼ ବିରୋଧ କରିବାରୁ ଶେଷରେ ପୋଲିସ, ପୌର ପ୍ରଶାସନକୁ ନିରାଶରେ ଫେରିବାକୁ ପଡ଼ିଥିଲା। ତେବେ ଉକ୍ତ ଘଟଣାକୁ ୨ମାସ ପୂରି ନଥିବାବେଳେ ଅମ୍ବାପାଲି ଛକରେ ରହିଥିବା କିଛି ଦୋକାନକୁ ଉଚ୍ଛେଦ କରିବା ପାଇଁ ପୁରି ମସୁଧା ଚାଲିଥିବାବେଳେ ଏହାକୁ ନେଇ ଚାପା ଅସନ୍ତୋଷ ଦେଖାଯାଇଛି।
ବୁଧବାର ପୂର୍ବାହ୍ନରେ ବରଗଡ଼ ତହସିଲଦାରଙ୍କ ସମେତ କିଛି ବିଭାଗୀୟ କର୍ମଚାରୀ ଏବଂ ପୋଲିସ ସହିତ ଅମ୍ବାପାଲି ଛକକୁ ପହଞ୍ଚିଥିଲେ। ସେଠାରେ ରହିଥିବା ୩ଦୋକାନ ଅର୍ଥାତ୍ ଛୋଟିଆ ହୋଟେଲ, ଚା, ପାନ ଦୋକାନକୁ ଚିହ୍ନଟ କରି ଦୋକାନ ଖାଲିବା ପାଇଁ ସମ୍ପୃକ୍ତ ଦୋକାନୀଙ୍କୁ କହିଥିଲେ। ସେଠାରେ ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ବସିବ, ସେଥିପାଇଁ ସମ୍ପୃକ୍ତ ସ୍ଥାନ ଉଚ୍ଛେଦ ହେବ ବୋଲି ସମ୍ପୃକ୍ତ ଦୋକାନୀଙ୍କୁ ସେମାନେ ସୂଚନା ଦେଇ ଗୁରୁବାର ସନ୍ଧ୍ୟା ସୁଦ୍ଧା ଦୋକାନ ଖାଲି କରିବାକୁ ମୌଖିକଭାବେ ନିର୍ଦ୍ଦେଶ ଦେଇଥିଲେ। ତେବେ ଉଚ୍ଛେଦ ପୂର୍ବରୁ ସେମାନଙ୍କୁ ଥଇଥାନ କରାଯାଉ ଏବଂ ଅତିକମ୍ରେ ୩ମାସ ସମୟ ଦିଆଯାଉ ବୋଲି ଦୋକାନୀମାନେ ନିବେଦନ କରିଥିଲେ। କିନ୍ତୁ ସେଥିରେ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀମାନେ ରାଜି ହୋଇ ନଥିଲେ ଏବଂ ଗୁରୁବାର ସୁଦ୍ଧା ଦୋକାନ ଖାଲି କରିବାକୁ କହି ଚାଲି ଯାଇଥିଲେ ବୋଲି ସମ୍ପୃକ୍ତ ଦୋକାନୀମାନେ କହିଛନ୍ତି।
ଜଣେ ଦୋକାନୀ ପରମେଶ୍ୱର ପାଣିଗ୍ରାହୀ କହିଛନ୍ତି, ଉଚ୍ଛେଦ ନେଇ କିଛି ଲିଖିତ ନୋଟିସ୍ ମିଳି ନାହିଁ। ୩ମାସ ସମୟ ମାଗିଲୁ, ସେଥିରେ ବି କେହି ରାଜି ହେଲେ ନାହିଁ। ଟ୍ରାନ୍ସଫର୍ମର ବସିବ ବୋଲି ସେମାନେ କହୁଛନ୍ତି, ହେଲେ ଏଭଳି ଛକ ସ୍ଥାନରେ ଟ୍ରାନ୍ସଫର୍ମର ବସିବା ଉଚିତ୍ କି ବୋଲି ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି। ଯଦି ଉଚ୍ଛେଦ କରୁଛନ୍ତି, ସମସ୍ତଙ୍କ ଜବରଦଖଲ ଉଚ୍ଛେଦ କରନ୍ତୁ, ଆମର କେବଳ ୨/୩ଜଣ ଦୋକାନୀଙ୍କୁ କାହିଁକି ଉଚ୍ଛେଦ କରିବାକୁ ପ୍ରଶାସନ ତପତ୍ର ହେଉଛି, ତାହା ଆମେ ବୁଝି ପାରୁ ନାହୁଁ ବୋଲି ସେ କହିଛନ୍ତି। ସେହିପରି ଅନ୍ୟଜଣେ ଦୋକାନୀ ଅଶୋକ ପାଣ୍ଡେ କହିଛନ୍ତି, ଏକ ଛୋଟିଆ ହୋଟେଲ ଦେଇଛି, ସେଥିରୁ ପରିବାର ଗୁଜୁରାଣ ମେଣ୍ଟାଉଛୁ। କିନ୍ତୁ ଆମ ଭଳି ଗରିବ ଲୋକଙ୍କୁ ଉଚ୍ଛେଦ କରିବାକୁ ପ୍ରଶାସନ ଚାହୁଁଛି, ଦୀର୍ଘଦିନ ହେଲା ଲେଙ୍ଗୁ ମିଶ୍ର ଛକଠାରୁ ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ କାହିଁକି ହେଉ ନାହିଁ ବୋଲି ପାଣ୍ଡେ ପ୍ରଶ୍ନ କରିଛନ୍ତି ଏବଂ ଆଗ ଥଇଥାନ କରି ତାଙ୍କୁ ସେଠାରୁ ଉଚ୍ଛେଦ କରାଯାଉ ବୋଲି ସେ ଦାବି କରିଛନ୍ତି।